ଟିଟିଲାଗଡ଼ କୋର୍ଟରେ ଗୋବିନ୍ଦ

ଟିଟିଲାଗଡ଼, ୧୦ା୨(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଗିରଫ ସମ୍ପୃକ୍ତ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ପୋଲିସ ବୁଧବାର ଟିଟିଲାଗଡ଼ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଥିଲା। ଉକ୍ତ କୋର୍ଟରେ ଅଭିଯୁକ୍ତ ସାହୁଙ୍କର କେହି ଓକିଲ ନ ଥିବାରୁ ଜେଏମ୍‌ଏଫ୍‌ସିଙ୍କ ଆଦେଶକ୍ରମେ ଆଇନଜୀବୀ ସୁରେନ୍ଦ୍ର ପଣ୍ଡା ଅଭିଯୁକ୍ତଙ୍କ ପକ୍ଷ ରଖିଥିଲେ। କୋର୍ଟରେ ହାଜର ପରେ ଗୋବିନ୍ଦଙ୍କୁ କଣ୍ଟାବାଞ୍ଜି ଉପକାରାଗାରକୁ ପଠାଇ ଦିଆଯାଇଥିବା ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ କହିଛନ୍ତି। ଟିଟିଲାଗଡ଼ ପୋଲିସ ବାରାକ୍‌ରୁ ଗୋବିନ୍ଦ ଫେରାର ହେବା ଘଟଣାରେ ଟିଟିଲାଗଡ଼ ଥାନାରେ ଆଇପିସି ୨୨୪ ଦଫାରେ ଏକ ମାମଲା (୪୩୧/୨୧) ରୁଜୁ ହୋଇଥିବା ନେଇ ତାଙ୍କୁ ହାଜର କରାଯାଇଥିଲା।
ମହାଲିଙ୍ଗସ୍ଥିିତ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ଗତବର୍ଷ ଅକ୍ଟୋବର ୮ରୁ ଘରୁ ନିଖୋଜ ହେବା ନେଇ ସିନ୍ଧେକେଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଖୋଳତାଡ଼ ପରେ ଗୋବିନ୍ଦଙ୍କୁ ପୋଲିସ ବାରାକ୍‌ରେ ଅଟକ ରଖାଯାଇଥିଲା। ଗୋବିନ୍ଦ ଅକ୍ଟୋବର ୧୭ରେ ଚକ୍‌ମା ଦେଇ ଫେରାର ହୋଇଯାଇଥିଲେ। ଅକ୍ଟୋବର ୧୯ ପୂର୍ବାହ୍ନରେ ମହାଲିଙ୍ଗ ସରକାରୀ ହାଇସ୍କୁଲ ପଡ଼ିଆରୁ ପ୍ରାୟ ୧୦ଫୁଟ୍‌ ମାଟିତଳୁ ପୋଲିସ ମମିତାଙ୍କ ମୃତଦେହର ପୋଡ଼ାଅଂଶ ଜବତ କରିଥିଲା। ସେହିଦିନ ସନ୍ଧ୍ୟାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବୁଡ଼ିପଦର ଗଁାର ଏକ ଆଖୁ କିଆରିରୁ ଗୋବିନ୍ଦଙ୍କୁ ଗିରଫ କରାଯାଇଥିଲା।