ବଲିଉଡର ଭେଟେରାନ ଅଭିନେତା ଗୋବିନ୍ଦା ଏବେ ତାଙ୍କ ଭଣଜା ତଥା କମେଡିଆନ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି। ଏବେ ଭଣଜାଙ୍କ ପରିବାରଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଗୋବିନ୍ଦା। ଏକ ସାକ୍ଷାତକାରରେ ଗୋବିନ୍ଦା କୃଷ୍ଣାଙ୍କୁ ଜଣେ ଭଲ ବ୍ୟକ୍ତି ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ସେ ଯାହା କରୁଛନ୍ତି, ଏହା ପଛରେ ଆଉ କେହି ଅଛନ୍ତି। ସେମାନେ କେବଳ ଏସବୁ କରି ମଜା କରୁନାହାଁନ୍ତି, ବରଂ ମୋର ଭାବମୂର୍ତ୍ତିକୁ ମଧ୍ୟ ନଷ୍ଟ କରୁଛନ୍ତି। ଗତ କିଛି ଦିନ ହେବ ଗୋବିନ୍ଦା ଏବଂ ତାଙ୍କ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ମତଭେଦ ଚାଲିଛି। କପିଲ ଶର୍ମାଙ୍କ ଶୋ’ରେ ଅଭିନୟ କରୁଥିବା କୃଷ୍ଣା ନିଜ ମାମୁ ଆସିବା ଦିନ ଶୋ’ରେ ଅନୁପସ୍ଥିତ ଥିଲେ। କୃଷ୍ଣା ଏକ ବିବୃତ୍ତିରେ କହିଥିଲେ ଯେ, ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପୁଅକୁ ଭେଟିବା ପାଇଁ ଡାକ୍ତରଖାନାକୁ ଆସି ନ ଥିଲେ ଗୋବିନ୍ଦା। ଏଭଳି ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି ଗୋବିନ୍ଦା କହିଛନ୍ତି ଯେ, କୃଷ୍ଣା ହୁଏତ ଜାଣି ନ ଥିବେ ଯେ ସେ ତାଙ୍କ ପରିବାର ସହିତ ଡାକ୍ତରଖାନା ଯାଇ ପିଲାମାନଙ୍କୁ ଦେଖିଛନ୍ତି ଏବଂ ପିଲାମାନଙ୍କର ଯତ୍ନ ନେଉଥିବା ଡାକ୍ତର ଏବଂ ନର୍ସଙ୍କୁ ମଧ୍ୟ ଭେଟିଛନ୍ତି। କୃଷ୍ଣାଙ୍କ ଆଚରଣରେ ଗୋବିନ୍ଦା ଗଭୀର ଆଘାତ ପାଇଛନ୍ତି ଏବଂ ସେ କହିଛନ୍ତି ଯେ, ଏବେ ସେ କୃଷ୍ଣା ଏବଂ ତାଙ୍କ ପରିବାରଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି।