Categories: ଜାତୀୟ

‘ଧର୍ମଘଟରେ ସାମିଲ ଅଧିକାର ସରକାରୀ କର୍ମଚାରୀଙ୍କର ନାହିଁ’

ଥିରୁଭାନନ୍ଥପୁରମ୍‌,୨୯।୩: ଟ୍ରେଡ୍‌ ୟୁନିୟନଗୁଡ଼ିକ ଦ୍ୱାରା ଡାକରା ଦିଆଯାଇଥିବା ୪୮ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ଡାକରାରେ ସରକାରୀ କର୍ମଚାରୀ ଯୋଗ ଦେଇପାରିବେ ନାହିଁ ବୋଲି କେରଳ ହାଇକୋର୍ଟ ସୋମବାର କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ନିର୍ଦ୍ଦେଶନାମା ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କର୍ମଚାରୀ ଶ୍ରମିକ ଶ୍ରେଣୀ ପରିସରଭୁକ୍ତ ନୁହନ୍ତି। ଧର୍ମଘଟରେ ସେମାନେ ସାମିଲ ହେବା ସେବା ନିୟମାବଳୀର ଉଲ୍ଲଂଘନ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌. ମଣିକୁମାର ଏବଂ ଜଷ୍ଟିସ ଶାଜି ପି. ଚାଲିଙ୍କ ଖଣ୍ଡପୀଠ କହିଛନ୍ତି। ସରକାରୀ କର୍ମଚାରୀ ଧର୍ମଘଟରେ ସାମିଲ ହେବା ବେଆଇନ ବୋଲି ସାମାଜିକ କର୍ମୀ ଚନ୍ଦ୍ରାଚୂଦନ ନାୟାରଙ୍କ ପିଟିଶନର ଶୁଣାଣି ବେଳେ ଖଣ୍ଡପୀଠ ମତ ଦେଇଛନ୍ତି। କାର୍ଯ୍ୟରୁ ଦୂରେଇ ରହିଥିବାରୁ କର୍ମଚାରୀମାନେ ସେହି ଦିନ ପାଇଁ ବେତନ ପାଇବାକୁ ହକ୍‌ଦାର ନୁହନ୍ତି। ଏଥିପାଇଁ ସରକାର ‘କାମ ନାହିଁ ତ ଦରମା ନାହିଁ’ ଘୋଷଣା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Share