Categories: ଜାତୀୟ

ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା ଗ୍ରେନେଡକୁ ଲୁଛାଉଛନ୍ତି ସରକାର: ସ୍ବତନ୍ତ୍ର ଅଧିବେଶନ ନେଇ କଂଗ୍ରେସର ମନ୍ତବ୍ୟ…

ନୂଆଦିଲ୍ଲୀ,୧୪।୯ : ସରକାର ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସ କହିଛି ଏଜେଣ୍ଡାରେ କିଛି ନାହିଁ ଯାହା ସରକାର ବର୍ତ୍ତମାନ ସୁଦ୍ଧା ପ୍ରକାଶ କରିଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ଛଡ଼ାଯିବାକୁ ଥିବା ଗ୍ରେନେଡକୁ ସରକାର ଲୁଛାଉଛନ୍ତି ବୋଲି କଂଗ୍ରେସ ଆଶଙ୍କା ବ୍ୟକ୍ତ କରିଛି।

ବୁଧବାର ସରକାର ଏଜେଣ୍ଡା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ସେପ୍ଟେମ୍ବର ୧୮ରେ ଅଧିବେଶନର ପ୍ରଥମ ଦିନରେ ସମ୍ବିଧାନ ସଭାରେ ଆରମ୍ଭ ହୋଇଥିବା ୭୫ ବର୍ଷର ସଂସଦୀୟ ଯାତ୍ରା’ ଉପରେ ଆଲୋଚନା କରାଯିବ। ଏହି ଏଜେଣ୍ଡା ସମ୍ପର୍କରେ ସରକାରଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।

ସ୍ବତନ୍ତ୍ର ଅଧିବେଶନରେ ସଂସଦର ୭୫ ବର୍ଷର ଯାତ୍ରା, ସଫଳତା, ଅଭିଜ୍ଞତା, ସ୍ମୃତି ଏବଂ ସମ୍ବିଧାନସଭାରୁ ଆଜି ପର୍ଯ୍ୟନ୍ତ ଶିକ୍ଷା ବିଷୟରେ ଆଲୋଚନା କରିବା ବ୍ୟତୀତ ଚାରିଟି ବିଲ ମଧ୍ୟ ତାଲିକାଭୁକ୍ତ ହୋଇଛି।

ତାଲିକାଭୁକ୍ତ ଚାରୋଟି ବିଲରେ ଆଡଭୋକେଟ ସଂଶୋଧନ ବିଲ ୨୦୨୩ ଏବଂ ପ୍ରେସ ଏବଂ ପେରିଓଡିକାଲ୍ସ ରେଜିଷ୍ଟ୍ରେଶନ ବିଲ ୨୦୨୩ ଅନ୍ତର୍ଭୁକ୍ତ, ଯାହା ରାଜ୍ୟସଭାରେ ପାରିତ ହୋଇ ଲୋକସଭାରେ ବିଚାରାଧୀନ ଅଛି। ଏହା ସହିତ ପୋଷ୍ଟ ଅଫିସ ବିଲ ୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି, ଅନ୍ୟ ନିର୍ବାଚନ କମିଶନର, ସେବା ସର୍ତ୍ତ ବିଲ ୨୦୨୩ ମଧ୍ୟ ତାଲିକାଭୁକ୍ତ ହୋଇଛି।

ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଘୋଷଣା ପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଶେଷରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିର ଚାପରେ ମୋଦି ସରକାର ପାଞ୍ଚ ଦିନିଆ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ଘୋଷଣା କରିଛନ୍ତି। ବର୍ତ୍ତମାନ ଏଜେଣ୍ଡାରେ କିଛି ନାହିଁ ବୋଲି ଜଣାପଡ଼ିଛି। ନଭେମ୍ବରରେ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିଥାନ୍ତା।

ଏଥି ସହିତ ଜୟରାମ ରମେଶ କହିଛନ୍ତି ମୁଁ ନିଶ୍ଚିତ ସବୁଥର ପରି ସରକାର ଶେଷ ମୁହୂର୍ତ୍ତରେ ହ୍ୟାଣ୍ଡ ଗ୍ରେନେଡ ପକାଇବାକୁ ପ୍ରସ୍ତୁତ ଅଛନ୍ତି। ପରଦା ପଛରେ ଆଉ କିଛି ଅଛି ଯାହାକୁ ପ୍ରକାଶ କରାଯାଉ ନାହିଁ। ଏହା ସତ୍ତ୍ୱେ ଇଣ୍ଡିଆ ଆଲାଇନ୍ସର ସହଯୋଗୀ ଦଳ ସିଇସି ବିଲକୁ ବିରୋଧ କରିବ।

Share