ଭୁବନେଶ୍ୱର,୧୫।୪(ବ୍ୟୁରୋ): ସତର୍କ ଦୃଷ୍ଟି ରଖିଛନ୍ତି । ବଲାଙ୍ଗୀର ପୋଷ୍ଟାଲ ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ ଘଟଣା ସାମ୍ନାକୁ ଆସିବା ପରଠାରୁ ସରକାର ଏ ନେଇ ସକ୍ରିୟ ଅଛନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଜାଲ୍ ସାର୍ଟିଫିକେଟ ମାମଲାରେ ଗମ୍ଭୀରତାର ସହ ଖୋଳତାଡ଼ ଜାରି ରଖିଛନ୍ତି । ଏଥିରେ ଜଡ଼ିତ ପ୍ରାୟ ୧୫୦ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଥାନାରେ ମଧ୍ୟ ଏତଲା ଦିଆଯାଇଛି। ବିଇଓ, ଡିଇଓମାନଙ୍କୁ ୭ ଦିନ ଭିତରେ ନିଜ ଅଞ୍ଚଳର ନକଲି ସାର୍ଟିଫିକେଟଧାରୀଙ୍କ ସମ୍ପର୍କରେ ରିପୋର୍ଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅସଲି ନକଲି ନେଇ ଓଡ଼ିଶା ଓ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟକୁ ଚିଠି କରାଯାଉଛି। ଖୋଳତାଡ଼ କରିବାକୁ ସମୟ ଲାଗୁଛି। ଗଣଶିକ୍ଷା ବିଭାଗରେ ପୂର୍ବରୁ ମଧ୍ୟ ଖୋଳତାଡ଼ ଚାଲିଛି । ଏଥିପାଇଁ ସ୍ବତନ୍ତ୍ର ଟିମ୍ ଗଠନର ଆବଶ୍ୟକତା ପଡ଼ିନିି ବୋଲି ସେ କହିଛନ୍ତି । ବଲାଙ୍ଗୀର ଲିଙ୍କ୍ କଥା କହିବା ଠିକ୍ ହେବନି ବୋଲି ମନ୍ତ୍ରୀ କହିଛନ୍ତି । କାରଣ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରୁଛି । ଯାହା ଦରକାର ପଡ଼ିବ ସେମାନେ କରିବେ ବୋଲି ସେ କହିଛନ୍ତି ।
ସ୍କୁଲ ଖୋଲିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦଶମ ଶ୍ରେଣୀ ଯାଏ ସମସ୍ତ ସ୍କୁଲକୁ ଆସନ୍ତା ୧୬ ତାରିଖ ଯାଏ ବନ୍ଦ ଘୋଷଣା କରିଛନ୍ତି। ଆସନ୍ତା ରବିବାର ସୁଦ୍ଧା ପାଗରେ ପରିବର୍ତ୍ତନ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।