ବିଜୁ ପକ୍କା ଘରେ ଚାଲିଛି ସରକାରୀ ମଦ ଦୋକାନ: ବନ୍ଦ ଦାବିରେ…

ହାଟଡିହୀ,୧।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ, ଆମ୍ବଗଡ଼ିଆ, ବାରିଙ୍ଗା ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଶୁକ୍ରବାର ସ୍ଥାନୀୟ ମଦ ଦୋକାନକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି l ଶତାଧିକ ମହିଳା ମଦ ଦୋକାନ ସ୍ଥାନାନ୍ତର ଦାବି କରି ସୋସୋ କଲେଜ ଛକ ମୁଖ୍ୟ ରାସ୍ତାରେ ବସିଛନ୍ତି।

ମହିଳାଙ୍କ ଅଭିଯୋଗ ମୁତାବକ, ସୋସୋ, ଆମ୍ବଗଡ଼ିଆ, ବାରିଙ୍ଗା ୩ ଗ୍ରାମର ମଝାମଝିରେ ଆର୍‌ଡି ରାସ୍ତାକୁ ଲାଗି ବିଦ୍ୟାଧରପୁର ସରକାରୀ ମଦ ଦୋକାନ ରହିଛି। ହେଲେ ମଦ ଦୋକାନ ବନ୍ଦ କରିବା ଲାଗି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ଦୋକାନ ବନ୍ଦ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏପରିକି ବିଜୁ ପକ୍କା ଘର ଯୋଜନାରେ ଜଣେ ହିତାଧିକାରୀ ପାଇଥିବା ଗୃହରେ ଏହି ମଦ ଦୋକାନ ଚାଲିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ମଦ ଦୋକାନ ଉଠିଲେ ଆନ୍ଦୋଳନରୁ ଉଠିବୁ ବୋଲି ରେଣୁବାଳା ନାୟକ,ନିରୁପମା ନାୟକ,ପ୍ରଭାସିନୀ ନାୟକ, ମେନକା ନାୟକ, ଶକୁନ୍ତଳା ମହାନ୍ତି,ପ୍ରେମଲତା ନାୟକ,ପ୍ରଭାତୀ ନାୟକ, ସଂଯୁକ୍ତା ନାୟକ ପ୍ରମୁଖ କହିଛନ୍ତି l

ମହିଳାଙ୍କ ଆନ୍ଦୋଳନକୁ ବିଭିନ୍ନ ମହଳରେ ସମର୍ଥନ ଜଣାଯାଇଛି। ଆନ୍ଦୋଳନ ଯୋଗୁ ସମ୍ପୃକ୍ତ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆଯାଉ ବୋଲି ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ ଦାବି କରିଛନ୍ତି। ସୋସୋ ଥାନା ଅଧିକାରୀ ବିଜୟ କୁମାର ବିହାରୀ କହିଛନ୍ତି ଯେ, ମଦ ଦୋକାନ ସ୍ଥାନାନ୍ତର ପାଇଁ ମହିଳାମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି l ଘଟଣା ସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାବୁଝି କରିଥିଲି l କିନ୍ତୁ ମହିଳାମାନେ ଜିଦରେ ଅଟଳ ଥିବାରୁ କୌଣସି ସୁଫଳ ମିଳିନାହିଁ। ଏନେଇ ଉପର ଅଧିକାରୀଙ୍କୁ ଜଣାଇଛୁ ବୋଲି ସେ କହିଛନ୍ତି।

Share