Categories: ଜାତୀୟ

ୟୁପିରେ ବାବୁଙ୍କୁ ସୋସିଆଲ ମିଡିଆ ମନା: ନିର୍ବାଚନରେ ଭାଜପାର ପରାଜୟକୁ ନେଇ ଯୋଗୀ ସରକାର କ୍ଷୁବ୍ଧ

ଲକ୍ଷ୍ନୌ,୨୪ା୬: ଭାଜପା ଶାସିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ଛାପା ଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନଙ୍କ ଯୋଗଦାନ ଉପରେ ରୋକ ଲଗାଇଥିଲେ। ଏବେ ଏହି କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ନ୍ୟୁଜ୍‌ ଆଉଟ୍‌ଲେଟ୍‌ ଏବଂ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକରେ ମତମନ୍ତବ୍ୟ ଦେବାକୁ ବାବୁମାନଙ୍କୁ ବାରଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କ୍ଷୁବ୍ଧ ରାଜ୍ୟ ସରକାର ଏପରି କରି କର୍ମଚାରୀମାନଙ୍କ ଉପରେ ରାଗ ଶୁଝାଉଛନ୍ତି ବୋଲି ଜଣେ ଅଧିକାରୀ ଅଭିଯୋଗ ଆଣିଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନରେ ସବୁଠୁ ବଡ଼ ରାଜ୍ୟ ୟୁପିର ୮୦ରୁ ୮୦ ଆସନ ଦଖଲ କରିବାକୁ ଭାଜପା ଲକ୍ଷ୍ୟ ରଖିଥିଲା। କିନ୍ତୁ ଶାସକ ଦଳ ୩୩ ଆସନରେ ସୀମିତ ରହିଯାଇଥିଲା। ସମାଜବାଦୀ ପାର୍ଟି (ଏସ୍‌ପି) ୩୭ ଆସନ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବାବେଳେ କଂଗ୍ରେସ ୬ ଆସନ ଦଖଲ କରିଛି। ନିର୍ବାଚନ ଫଳ ଆସିବାର ୧୫ ଦିନ ପରେ ଅର୍ଥାତ୍‌ ଜୁନ୍‌ ୧୯ରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅତିରିକ୍ତ ମୁଖ୍ୟ ସଚିବ, ପ୍ରଧାନ ସଚିବ ଏବଂ ସଚିବମାନଙ୍କ ନିକଟକୁ ପଠାଇ ଦିଆଯାଇଛି। ସେମାନଙ୍କ ଅଧସ୍ତନ କର୍ମଚାରୀମାନଙ୍କୁ ଏସମ୍ପର୍କରେ ଅବଗତ କରାଇବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।

ଉତ୍ତର ପ୍ରଦେଶ ସରକାରୀ ଚାକିରିଆଙ୍କ ଆଚରଣ ନିୟମ, ୧୯୫୬ ଅନୁସାରେ ସରକାରୀ କର୍ମଚାରୀମାନେ ପ୍ରିଣ୍ଟ ମିଡିଆ ଓ ରେଡିଓ କାର୍ଯ୍ୟକ୍ରମଗୁଡ଼ିକରେ ଭାଗନେଇପାରିବେ ନାହିଁ ବୋଲି ପୂର୍ବରୁ ରହିଥିବା ନିୟମକୁ ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆକୁ ବିସ୍ତାର କରାଯାଇଥିବା ଏଥିରେ କୁହାଯାଇଛି। ଏପରି କି ଫେସ୍‌ବୁକ୍‌, ଏକ୍ସ, ହ୍ବାଟ୍ସଆପ୍‌ ଏବଂ ଇନ୍‌ଷ୍ଟାଗ୍ରାମ ଭଳି ପ୍ଲାଟ୍‌ଫର୍ମଗୁଡ଼ିକୁ ମଧ୍ୟ ସେମାନେ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଏଭଳି ସରକାରୀ କଟକଣାକୁ ସରକାରୀ କର୍ମଚାରୀମାନେ ନାପସନ୍ଦ କରିଛନ୍ତି। କେବଳ ସରକାରଙ୍କ ସମାଲୋଚନାକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ସେମାନେ କହିଛନ୍ତି।

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିବ ଭାବେ କାର୍ଯ୍ୟ କରିଥିବା ଜଣେ ଅମଲାତନ୍ତ୍ରୀ କହିଛନ୍ତି, ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ବିଭିନ୍ନ ପୋଷ୍ଟିଂକୁ ନେଇ କର୍ମଚାରୀମାନେ ସରକାରଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଅନ୍ୟ ଜଣେ ସରକାରୀ କର୍ମଚାରୀଙ୍କ ମତରେ ଲୋକ ସଭା ନିର୍ବାଚନରେ ଭାଜପାର ଖରାପ ପ୍ରଦର୍ଶନ ଯୋଗୁ ସେମାନଙ୍କ ଉପରେ ସରକାର ରାଗ ଶୁଝାଉଛନ୍ତି। ଏହି ସରକାର ନିର୍ବାଚନ ପୂର୍ବରୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ପ୍ରଚାରପ୍ରସାର ପାଇଁ ଟିଭି ଶୋ’ ଏବଂ ଅନ୍ୟ ମିଡିଆ କାର୍ଯ୍ୟକ୍ରମଗୁଡ଼ିକରେ ଭାଗନେବା ପାଇଁ ବାଧ୍ୟ କରୁଥିଲେ। ଅନେକ ପୋଲିସ କର୍ମଚାରୀ ମଧ୍ୟ ୟୁନିଫର୍ମ ପିନ୍ଧି ଟିଭିରେ ମୁହଁ ଦେଖାଉଥିଲେ। କିନ୍ତୁ ଭାଜପାର ଲୋକପ୍ରିୟତା ହ୍ରାସ ହୋଇଯିବା ପରେ ସେମାନେ ସରକାରୀ ଯୋଜନାକୁ ସମାଲୋଚନା କରୁଥିବା କର୍ମଚାରୀମାନଙ୍କୁ ଧମକ ଦେଉଛନ୍ତି ବୋଲି ଜଣେ ଅଧିକାରୀ ଅଭିଯୋଗ ଆଣିଛନ୍ତି।

Share