ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି ନାଫେଡ ମାଧ୍ୟମରେ ସରକାର ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଛନ୍ତି । ଗତ ଦୁଇଦିନ ହେଲା ନାଫେଡ ସହାୟତାରେ ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ଖାଉଟିଙ୍କୁ ପିଆଜ ଯୋଗାଇ ଦିଆଯାଉଛି।

ଜଟଣୀ, ମଙ୍ଗଳପୁର, ନିଆଳି, ଫୁଲନଖରା, ଡମଣା, ପିପିଲି, ନିମାପଡ଼ା, ବାଲିଅନ୍ତା, ବାଲିପାଟଣା, ରଘୁନାଥପୁର, ବାରଙ୍ଗ, ୟୁନିଟ-୪, ଲକ୍ଷ୍ମୀସାଗର, କଳ୍ପନା ଛକ, ରୂପାଲି ଛକ, ନାଫେଡ଼ କାର୍ଯ୍ୟାଳୟ, ମଞ୍ଚେଶ୍ୱର ଆଦି ଅଞ୍ଚଳରେ ଖାଉଟିମାନଙ୍କୁ କିଲୋ ପିଛା ୩୫ ଟଙ୍କାରେ ପିଆଜ ବିକ୍ରୟ କରାଯାଉଛି।

ଅନ୍ୟପକ୍ଷେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦରଦାମ ନିୟନ୍ତ୍ରଣ କରିବା ନେଇ ବିଭାଗୀୟ ଅଧିକାରୀ, ସମ୍ପୃକ୍ତ ବ୍ୟବସାୟୀ, ମଣ୍ଡି ମାଲିକ ଓ ଖୁଚୁରା ବେପାରୀଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି।

ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମକୁ ରୋକିବା ନେଇ ସରକାର ଖାଉଟିମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ନାଫେଡ ମାଧ୍ୟମରେ ଆଳୁ ସଂଗ୍ରହ କରି ଖାଉଟିଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନାଫେଡ ମାଧ୍ୟମରେ ପିଆଜ ଯୋଗାଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡିଛି।

Share