ହୋଲି ପ୍ରତିବନ୍ଧକ ପ୍ରତ୍ୟାହାର କଲେ ସରକାର

ଇସଲାମାବାଦ,୨୨ା୬: ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବାକୁ ବାରଣ କରିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ପାକିସ୍ତାନ ସରକାର ଏହାର ଆଦେଶକୁ ନେଇ ଅସୁବିଧାରେ ପଡ଼ିବା ପରେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଷ୍ଟ୍ରାଟେଜିକ ସଂସ୍କାର ୟୁନିଟର ମୁଖ୍ୟ ସଲମାନ ସୁଫି କହିଛନ୍ତି, ବିଜ୍ଞପ୍ତି ପ୍ରତ୍ୟାହାର କରିବାକୁ ଶିକ୍ଷା ମନ୍ତ୍ରୀ ରାଣା ତନବୀର ହୁସେନ ଉଚ୍ଚଶିକ୍ଷା ଆୟୋଗ (HEC)ଙ୍କୁ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ବିଜ୍ଞପ୍ତି ଖବର ଗଣମାଧ୍ୟମରେ ଆସିବା ପରେ ସଲମାନ ସୁଫି ଟୁଇଟ୍‌ କରି କହିଛନ୍ତି, ସେ ଏହି ବିଷୟରେ ରାଣା ତନବୀରଙ୍କ ସହ କଥା ହୋଇଛନ୍ତି। ସେ ଧାର୍ମିକ ପର୍ବକୁ ନିରୁତ୍ସାହିତ କରୁଥିବା ଏଚ୍‌ଇସି ବିଜ୍ଞପ୍ତି ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ଏବଂ ଏହାକୁ ପ୍ରତ୍ୟାହାର କରିବାକୁ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ରିପୋର୍ଟ କରାଯାଇଥିଲା ଯେ, ଏଚ୍‌ଇସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶାଇସ୍ତା ସୋହେଲ ଉପାଧ୍ୟକ୍ଷ ତଥା ଅନୁଷ୍ଠାନର ମୁଖ୍ୟମାନଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି, ବିଶ୍ୱବିଦ୍ୟାଳୟରେ ହୋଲି ଉତ୍ସବ ଉଦ୍‌ବେଗ ସୃଷ୍ଟି କରୁଛି ଏବଂ ଏହା କ୍ଷତିକାରକ ଅଟେ। ଏହା ଦେଶର ଭାବମୂର୍ତ୍ତିକୁ ପ୍ରଭାବିତ କରିଥାଏ। ଆୟୋଗ କହିଛନ୍ତି, ଏଭଳି କାର୍ଯ୍ୟକଳାପ ଦେଶର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଏହା ଦେଶର ଇସଲାମିକ୍‌ ପରିଚୟ ବିରୋଧ ଅଟେ। ଏହାକୁ ନେଇ ସରକାର ଅସୁବିଧାର ସମ୍ମୁଖୀନ ହେବା ପରେ ଆଜି ପ୍ରତିବନ୍ଧକକୁ ପ୍ରତ୍ୟାହାର କରିନେଇଛନ୍ତି।

Share