Categories: ଜାତୀୟ

ଫେକ୍‌ ନ୍ୟୁଜ୍‌ ଉପରେ ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌, ୮ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ଲକ୍‌…

ନୂଆଦିଲ୍ଲୀ, ୧୮।୮ : ଫେକ୍‌ ନ୍ୟୁଜ୍‌ ପ୍ରସାରିତ କରୁଥିବା ସୋସିଆଲ ମିଡ଼ିଆ ଚ୍ୟାନେଲ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ଏହା ଅନ୍ତର୍ଗତ ୮ ୟୁଟ୍ୟୁବ୍‌ ନ୍ୟୁଜ୍‌ ଚ୍ୟାନେଲକୁ ବ୍ଲକ୍‌ କରାଯାଇଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀକ ବ୍ୟବସ୍ଥା ସହିତ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର ପ୍ରସାର ପାଇଁ ସରକାର ଏସବୁ ୟୁଟୂ୍ୟବ ଚ୍ୟାନେଲକୁ ନିଷେଧ କରିଛନ୍ତି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଆଇଟି ନିୟମ, ୨୦୨୧ ଅନୁଯାୟୀ ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ବିରୋଧରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୟୁଟ୍ୟୁବ ଚ୍ୟାନେଲଗୁଡିକ ୧୧୪ କୋଟିରୁ ଅଧିକ ଥର ଦେଖାଯାଇଛି। ଏହା ବ୍ୟତୀତ ଏସବୁ ଚ୍ୟାାନେଲଗୁଡ଼ିକର ୮୫ ଲକ୍ଷ ୭୩ ହଜାର ସବସ୍କ୍ରାଇବର ଥିଲେ। ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକରେ ଭାରତ ବିରୋଧରେ ମିଥ୍ୟା ଖବର ପ୍ରଚାର ଏବଂ ପ୍ରସାର କରାଯାଉଥିଲା।

ଏହାପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସରକାରଙ୍କ ପକ୍ଷରୁ ଏହି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଏହା ପରେ ଭାରତରେ ୨୨ଟି ୟୁଟ୍ୟୁବ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତୁରନ୍ତ ପ୍ରଭାବ ସହିତ ଏହି ଚ୍ୟାନେଲଗୁଡିକ ବ୍ଲକ କରାଯାଇଥିଲା।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସହ ଜଡିତ ପ୍ରଚାର ପ୍ରସାର ପାଇଁ ଏହି ଚ୍ୟାନେଲଗୁଡିକ ଅବରୋଧ କରାଯାଇଥିଲା। ସେଥିମଧ୍ୟରୁ ୧୮ ଟି ଭାରତୀୟ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଥିବାବେଳେ ୪ ଟି ପାକିସ୍ତାନୀ ଚ୍ୟାନେଲ ଥିଲା।

Share