Categories: ଜାତୀୟ

କେବଳ ବିଳାସପୂର୍ଣ୍ଣ ଟ୍ରେନ ଉପରେ ସରକାରଙ୍କ ଧ୍ୟାନ, ସାଧାରଣ ଲୋକଙ୍କୁ ଅବହେଳା, ଏହି କାରଣରୁ ଗଲା ବହୁ ସଂଖ୍ୟକ ଜୀବନ: ସରକାରଙ୍କୁ ଘେରିଲେ ବିରୋଧୀ…

ନୂଆଦିଲ୍ଲୀ,୩।୬ : ଓଡିଶାରେ ଟ୍ରିପଲ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଛି। ସେହିପରି ଆହତଙ୍କ ସଂଖ୍ୟା ୯୦୦ ପାଖାପାଖି ରହିଛି। ଏହି ପ୍ରସଙ୍ଗରେ ବିରୋଧୀ ବର୍ତ୍ତମାନ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାର ଅନୁସନ୍ଧାନ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇ ଯାଉଥିବା କରୋମଣ୍ଡଲ ଏକ୍ସପ୍ରେସ, ବେଙ୍ଗାଲୁରୁ ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ ଏବଂ ମାଲଗାଡ଼ି ମଧ୍ୟରେ ହୋଇଥିବା ଭୟଙ୍କର ଦୁର୍ଘଟଣା ବିରୋଧୀ ଦଳର ନେତାମାନେ ସିଗନାଲ ବିଫଳତା ଅଭିଯୋଗ କରିବା ଆରମ୍ଭ କରିଛନ୍ତି। ତୃଣମୂଳ କଂଗ୍ରେସ ମୁଖପାତ୍ର ସାକେତ ଗୋଖଲେ କହିଛନ୍ତି ସିଗନାଲ ବିଫଳତା ଯୋଗୁଁ ଏଭଳି ଏକ ବଡ଼ ଦୁର୍ଘଟଣା ହୋଇଥିବା ଆଶ୍ଚର୍ଯ୍ୟଜନକ ।

ଏହି ଦୁର୍ଘଟଣା କିଛି ଗମ୍ଭୀର ପ୍ରଶ୍ନ ଉଠାଇଛି ଯାହାର ଉତ୍ତର ସରକାର ଦେବା ଆବଶ୍ୟକ। ଏହି ତିନୋଟି ଟ୍ରେନ ପରସ୍ପର ଉପରେ କିପରି ଧକ୍କା ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଡାଉନ ଲାଇନରେ ଥିବା ବେଙ୍ଗାଲୁରୁ-ହାଓ୍ବଡ଼ା ଟ୍ରେନ ସନ୍ଦ୍ୟା ୬ ଟା ୫୫ରେ ଏବଂ କରୋମଣ୍ଡେଲ ସନ୍ଧ୍ୟା ୭ ଟାରେ ଚଳାଚଳ କରିଥିଲା। କରୋମଣ୍ଡଲର ଲାଇନଚ୍ୟୁତ କୋଚଗୁଡ଼ିକ ପ୍ରଥମେ ବେଙ୍ଗାଲୁରୁ-ହାଓ୍ବଡ଼ାର ଏବଂ ପରେ ମାଲଗାଡ଼ି ସହିତ ମୁହାଁମୁହିଁ ହୋଇଥିଲା।

ଅନ୍ୟପକ୍ଷରେ ଟ୍ରେନ ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ସମସ୍ତଙ୍କୁ କନ୍ଦାଇଛି। କୁହାଯାଉଛି ଆମେ ଟ୍ରେନରେ କବଚ ଲଗାଉଛୁ, ଏହା ସମସ୍ତ ଦୁର୍ଘଟଣାକୁ ବନ୍ଦ କରିବ। ସୁରକ୍ଷା କବଚ କେଉଁଠାରେ ଅଛି? ତିନୋଟି ଟ୍ରେନ ଧକ୍କା ହେଲା, କବଚ କୁଆଡେ ଗଲା ?

ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି ଦିନକୁ ଦିନ ବଢ଼ିବା ସହ ଏନସିପି ନେତା ଅଜିତ ପାୱାର କହିଛନ୍ତ ଏଭଳି ଘଟଣାରେ ପୂର୍ବରୁ ରେଳମନ୍ତ୍ରୀ ଇସ୍ତଫା ଦେଉଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ଏବେ କେହି କହିବାକୁ ପ୍ରସ୍ତୁତ ନୁହଁନ୍ତି। ସରକାର କେବଳ ବିଳାସପୂର୍ଣ୍ଣ ଟ୍ରେନ ଉପରେ ଧ୍ୟାନ ହେଉଛନ୍ତି। ସାଧାରଣ ଲୋକଙ୍କ ଟ୍ରେନ ଏବଂ ଟ୍ରାକ ଅବହେଳିତ। ଓଡିଶାରେ ମୃତ୍ୟୁ ଏହାର ଫଳାଫଳ । ଏଭଳି ତ୍ରୁଟି ଯୋଗୂ ରେଳ ମନ୍ତ୍ରୀ ନୈତିକ ଦୃଷ୍ଟିକୋଣରୁ ଇସ୍ତଫା ଦେବା ଉଚିତ।

 

Share