ନୂଆଦିଲ୍ଲୀ, ୨।୯: ପାର୍ବଣ ଋତୁରେ ଜନ ସମାଗମ ଯେପରି ନ ହୁଏ, ସେଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରାଇଛି। ସମାବେଶରେ ଯୋଗଦେବା ଜରୁରୀ ଥିଲେ, ଏଥିପାଇଁ କୋଭିଡ୍ ଟିକାର ସମ୍ପୂର୍ଣ୍ଣ ଡୋଜ୍ ନେବା ଆବଶ୍ୟକ ବୋଲି କୁହାଯାଇଛି। କରୋନା ମହାମାରୀର ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ସଂକ୍ରମଣ କମିଥିଲେ ମଧ୍ୟ ଜନସାଧାରଣ ଘରେ ଉତ୍ସବ ପାଳନ କରିବା ପାଇଁ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। କୋଭିଡ୍ ନିୟମ ପାଳନ କରିବା ସହ ଟିକା ନେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।
ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏବେ ବି ୩୯ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି। ୩୮ ଜିଲାରେ ଏହି ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ବିଭିନ୍ନ ରାଜ୍ୟରେ ସଂକ୍ରମଣ ପୁଣି ଥରେ ବଢ଼ିବା ଆରମ୍ଭ କରିଛି। ଗୁରୁବାର ସକାଳ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୪୭,୦୯୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଗତ ଦୁଇମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ। ସେଥିରୁ ୭୦ ପ୍ରତିଶତ ମାମଲା କେବଳ କେରଳରୁ ଆସିଛି। ଉକ୍ତ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି।