ମହାକାଳପଡ଼ା,୧।୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ଅଞ୍ଚଳ ମାଦଳି ଦ୍ୱୀପ ଅବକ୍ଷୟ ହେବାରେ ଲାଗିଛି। ଉକ୍ତ ଦ୍ୱୀପର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲିଯାଉଛି। ଅପରପକ୍ଷରେ ଦିନ ଥିଲା ଏହି ବାଲୁକା ଶଯ୍ୟା ପରିବେଶ ଅନୁକୂଳ ଥିବାରୁ ଲକ୍ଷ ଲକ୍ଷ ମାଇଲ ସମୁଦ୍ର ପଥ ଦେଇ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡାଦାନ କରିବାକୁ ଧାଇଁ ଆସୁଥିଲେ। ସମୁଦ୍ରରେ ମିଳନ ପ୍ରକ୍ରିୟା ଓ ବାଲୁକା ଶଯ୍ୟାରେ ସାମୂହିକ ଅଣ୍ଡାଦାନ କରୁଥିଲେ। ମାଦଳି ଦ୍ୱୀପ ଅବକ୍ଷୟ ଯୋଗୁ କଇଁଛଙ୍କ ସଂଖ୍ୟା ଆସିବା କମିବା ସହ ଅଣ୍ଡାଦାନ ପ୍ରକ୍ରିୟା କମୁଛି। ମାତ୍ର ଏହାର ସୁରକ୍ଷା ଦୃଷ୍ଟିକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ଏକ ବେଶ୍ କ୍ୟାମ୍ପ ସ୍ଥାପନ କରାଯାଇଛି। ବନ ବିଭାଗ କର୍ମଚାରୀମାନେ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି। ହେଲେ ଦିନ ଦ୍ୱିପ୍ରହରରେ କେତେଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରୁ ମାଛ ମାରି ଫେରିବା ବାଟରେ ଏହି ଦ୍ୱୀପରେ ବିଶ୍ରାମ ନେଉଛନ୍ତି। ବନ ବିଭାଗର ପଇଁତରା ସତ୍ତ୍ୱେ କିଭଳି ଓ କେଉଁ ପରିସ୍ଥିତିରେ ମତ୍ସ୍ୟଜୀବୀମାନେ ଏଠାରେ ଆଡ୍ଡା ଜମାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଦିନ ଥିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଅଲିଭ୍ ରିଡେ୍ଲ କଇଁଛ ଅଣ୍ଡାଦାନ କରି ଶାବକମାନଙ୍କୁ ଧରି ଫେରୁଥିଲେ। ଏହି ବିଶାଳ ବାଲିସ୍ତୂପକୁ ସୁରକ୍ଷା ଦେବା ପାଇଁ ବିଭାଗ ପକ୍ଷରୁ ଝାଉଁବଣ ସୃଷ୍ଟି କରାଯାଇଥିଲା। ତେବେ ୧୯୭୧, ୧୯୮୨, ୧୯୯୯, ୨୦୧୩ ଫାଇଲିନ୍, ୨୦୧୪ ହୁଡ୍ ହୁଡ୍, ୨୦୧୮ ତିତିଲି, ୨୦୧୯ ଫନୀ ଭଳି ସାମୁଦ୍ରିକ ଝଡ଼ ଓ ପ୍ରବଳ ଢେଉ ମାଡ଼ରେ ସମୁଦ୍ର ଗର୍ଭ ଭିତରେ ଅଗରନାସୀ ଲୀନ ହୋଇଗଲାଣି। ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କଲେଣି। ଏଠାରେ ମତ୍ସ୍ୟଜୀବୀମାନେ ବୋଟ୍ ଓ ଟ୍ରଲରଗୁଡ଼ିକ ଲଙ୍ଗର ପକାଉଥିବାରୁ ତାହା ଧୀରେ ଧୀରେ ବାଲୁକା ଶଯ୍ୟାକୁ କ୍ଷୟ କରୁଛି। ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ନାହିଁ। ତେବେ ବେଳ ଥାଉଁ ଥାଉଁ ଯଦି ମାଦଳି ଦ୍ୱୀପକୁ ସୁରକ୍ଷା ଦିଆ ନ ଯାଏ ତେବେ ଗହୀରମଥା ଇତିହାସରେ ସମୁଦ୍ର ଗର୍ଭକୁ ଚାଲିଯିବ। ଅଗରନସୀ ବାଲୁକା ଦ୍ୱୀପ ଭଳି ମାଦଳି ଦ୍ୱୀପ ମଧ୍ୟ ଖୁବ୍ଶୀଘ୍ର ସମୁଦ୍ର ଗର୍ଭରେ ଲୀନହୋଇଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମାଦଳି ଦ୍ୱୀପରୁ ମୂଲ୍ୟବାନ୍ ସାମୁଦ୍ରିକ ମାଛ, କଙ୍କଡ଼ା ଆଦି ଜଳପଥ ଦେଇ ରାଜ୍ୟ ବାହରକୁ ଚାଲାଣ ହେଉଛି ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଏ ସମ୍ପର୍କରେ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ମାଦଳି ଦ୍ୱୀପରେ ପାଟ୍ରୋଲିଂ ପାଇଁ ୨ଟି କ୍ୟାମ୍ପ ସ୍ଥାପନ କରାଯାଇଛି। ଖବର ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।