ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ କାର୍ଯ୍ୟାଳୟ ଗୃହରେ ଗୁରୁବାର ପୂର୍ବାହ୍ନରେ ବ୍ଲକର ପଞ୍ଚାୟତ ବୈଷୟିକ ସହାୟିକା ମୋନାଲିସା ଚକ୍ର ଓ ଜିଆରଏସ ନିର୍ମଳ ମହାନ୍ତଙ୍କୁ ଅଫିସ କାର୍ଯ୍ୟାଳୟରେ ୨୨ ନମ୍ବର ଜିଲାପରିଷଦ ସଦସ୍ୟା ଡଲି ପାତ୍ର ତାଲା ପକାଇବା ସହ ମୁଖ୍ୟ ଫାଟକରେ ମଧ୍ୟ ତାଲା ପକାଇ ବନ୍ଦ କରି ଦେଇଥିଲେ। ପୂର୍ବାହ୍ନ ୧୧.୩୦ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦେଢ଼ ଘଣ୍ଟା ଧରି ବନ୍ଦ କରି ରଖିଥିଲେ। ସ୍ଥାନୀୟ ଅଞ୍ଚଳରେ ଏନେଇ ଉତ୍ତେଜନା ଲାଗିରହିଛି।
ସୂଚନା ଅନୁଯାୟୀ, ଜିଲାପରିଷଦ ପାଣ୍ଠିର ୨ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ଉକ୍ତ ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ନିର୍ମିତ ଠାକୁରାଣୀ ଶାଳ ପାଚେରିର ଫାଇନାଲ ବିଲ୍ କରିବାରେ ବିଳମ୍ବ କରିବାରୁ ଜିଲାପରିଷଦ ସଦସ୍ୟା ଡଲି ପାତ୍ର ଦୁହିଁଙ୍କୁ ତାଲା ପକାଇଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତି ଓ ପାଟଣା ବ୍ଲକର ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ ପହଞ୍ଚି ମୁଖ୍ୟ ଫାଟକର ତାଲା ଭାଙ୍ଗିବା ସହ ବନ୍ଦ କାର୍ଯ୍ୟାଳୟରୁ ଦୁହିଁଙ୍କୁ ଉଦ୍ଧାର କରିଛନ୍ତି।