ଗ୍ରାମୀ ଆୱାର୍ଡ ସ୍ଥଗିତ

ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ୬୪ତମ ଗ୍ରାମୀ ଆୱାର୍ଡ ୨୦୨୨କୁ ସ୍ଥଗିତ କରି ଦିଆଯାଇଛି । ସାରା ବିଶ୍ୱରେ କରୋନା ଓ କରୋନାର ନୂଆ ଭାଇରସ ଓମିକ୍ରନ୍ ବ୍ୟାପୁଥିବାରୁ ଏହି ଆୱାର୍ଡ ସେରିମନିକୁ ସ୍ଥଗିତ ରଖାଯାଇଥିବା କୁହାଯାଇଛି । କରୋନାର ଏହି ସଂକ୍ରମଣ ବୃଦ୍ଧିକୁ ଦେଖି ରେକର୍ଡିଂ ଏକାଡେମୀ ଗ୍ରାମୀ ଆୱାର୍ଡ ୨୦୨୨ ସ୍ଥଗିତ କରିବାକୁ ଘୋଷଣା କରିଛି । ଦ ରେକର୍ଡିଂ ଏକାଡେମୀ ଏହି ପ୍ରତିଷ୍ଠିତ ପୁରସ୍କାରର ଆୟୋଜନ କରିଥାଏ । ରେକର୍ଡିଂ ଏକାଡେମୀ କହିଛି ୩୧ ଜାନୁୟାରୀରେ ଆୟୋଜିତ ହେବାକୁ ଥିବା ଏହି ମସାରୋହ ପରେ କରୋନା ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ସ୍ଥଗିତ କରାଗଲା । ତେବେ ଖୁବଶୀଘ୍ର ଏହାର ରିସିଡ୍ୟୁଲ ଡେଟ ଘୋଷଣା କରାଯିବ ବୋଲି କୁହାଯାଇଛି ।
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ, ସହର ଓ ରାଜ୍ୟର ଅଧିକାରୀ, କଳାକାର ଓ ସହଯୋଗୀଙ୍କ ମତାମତ ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା କହିଛି ରେକର୍ଡିଂ ଏକାଡେମୀ । ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ଏଥିପାଇଁ ନୋମିନେଶନ ଘୋଷଣା କରାଯାଇଥିଲା । ଗତବର୍ଷ ଅର୍ଥାତ୍ ୨୦୨୧ରେ କରୋନା ମହାମାରୀ ଯୋଗୁ ଗ୍ରାମୀ ଆୱାର୍ଡ ସେରିମନି ପ୍ରଭାବିତ ହୋଇଥିଲା । ଏହା ଜାନୁୟାରୀ ପରିବର୍ତ୍ତେ ମାର୍ଚ୍ଚରେ ଏକ ସ୍ପେଶାଲ ଇଭେଣ୍ଟ ମାଧ୍ୟମରେ କରାଯାଇଥିଲା ।

Share