Categories: ରାଜ୍ୟ

ଜେଜେ ପ୍ରେରଣାର ଉତ୍ସ

ମୋର ସ୍ବର୍ଗତ ଜେଜେବାପା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ଥିଲେ ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା ଆଧ୍ୟାତ୍ମିକ ବିଚାରସମ୍ପନ୍ନ ମଣିଷ। ତାଙ୍କର ରାଜନୈତିକ ଜୀବନ ଥିଲା ଜଣେ ନିଷ୍ଠାପର ସମାଜସେବୀର ଜୀବନ। ତାଙ୍କର ରାଜନୈତିକ ସଫଳତା ଥିଲା ସାଧାରଣ ମଣିଷର ସ୍ବତଃସ୍ଫୂର୍ତ୍ତ ସ୍ବୀକୃତିର ପ୍ରତିଫଳନ। ତାଙ୍କରି ପଦାଙ୍କ ଅନୁସରଣ କରି ମୁଁ ଛାତ୍ର ରାଜନୀତିରେ ଯୋଗଦେଇଥିଲି ୧୯୯୦ ମସିହାରେ ରେଭେନ୍‌ଶା ମହାବିଦ୍ୟାଳୟରୁ। ଏଯାବତ୍‌ ଊଣାଅଧିକେ ରାଜନୈତିକ ଭାବରେ ସକ୍ରିୟ ଥିଲେ ମଧ୍ୟ ସ୍ବର୍ଗତଃ ଜେଜେଙ୍କର ସମାଜସେବା ହିଁ ମୋତେ ଅଧିକ ଅନୁପ୍ରେରିତ କରିଆସିଛି। ସେ ଥିଲେ ମୋ ପାଇଁ ପ୍ରେରଣାର ଉତ୍ସ। ସାଧାରଣ ଜୀବନ ସହିତ ନିଜକୁ ସଂପୃକ୍ତ କରି ରଖିବାର ଏକ ପ୍ରବଣତା ଥିଲା ତାଙ୍କର ଚରିତ୍ରର ବୈଶିଷ୍ଟ୍ୟ, ଯାହା ପରବର୍ତ୍ତୀ ସମୟରେ ତାଙ୍କର ରାଜନୈତିକ ଜୀବନରେ ପ୍ରତିଫଳିତ ହୋଇଥିଲା ଏବଂ ତାଙ୍କ ପାଇଁ ପ୍ରତିଷ୍ଠା ଆଣିଦେଇଥିଲା। ଆଜିର ପରିବର୍ତ୍ତିତ ରାଜନୈତିକ ମୂଲ୍ୟବୋଧ ପରିପ୍ରେକ୍ଷୀରେ ସ୍ବର୍ଗତ ମହାନ୍ତିଙ୍କର ଜୀବନଚର୍ଯ୍ୟା ମୋ ପାଇଁ ଏକ ମାର୍ଗଦର୍ଶିକା ହୋଇ ରହିଛି ଏବଂ ରହିଥିବ। ତାଙ୍କ ପବିତ୍ର ଜନ୍ମଶତବାର୍ଷିକୀ ଅବସରରେ ମୁଁ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ଦାୟାଦ ଭାବରେ ନିଜକୁ ଧନ୍ୟ ମନେକରୁଛି।
-ନିଶିତ କରଣ

Share