ପ୍ରୀତି ପାଣିଗ୍ରାହୀଙ୍କ ଫିଲ୍ମକୁ ଗ୍ରାଣ୍ଡ ଜୁରି ପୁରସ୍କାର

ଲସ୍‌ ଏଞ୍ଜେଲସ୍‌, ୩ା୭: ରିଚା ଚଢ଼ା ଓ ଅଲି ଫଜଲଙ୍କ ନିର୍ମିତ, ଶୁଚି ତଲାତିଙ୍କ ନିର୍ଦ୍ଦେଶିତ ଏବଂ ଓଡ଼ିଆ ଝିଅ ପ୍ରୀତି ପାଣିଗ୍ରାହୀଙ୍କ ଅଭିନୀତ ‘ଗର୍ଲସ୍‌ ଓ୍ବିଲ୍‌ ବି ଗର୍ଲସ୍‌’ ଫିଲ୍ମ ସୋମବାର ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଚାଲିଥିବା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଏଲ୍‌ଏ)ରେ ସମ୍ମାନଜନକ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିଛି।
ଏହି ଫିଲ୍ମରେ ପ୍ରୀତିଙ୍କ ବ୍ୟତିତ କାନି କୁଶ୍ରୁତି ଓ କେଶବ ବିନୟ କିରଣ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିର୍ଦ୍ଦେଶକ ଶୁଚି ତଲାତିଙ୍କ ଏହା ପ୍ରଥମ ଫିଚର ଚଳଚ୍ଚିତ୍ର ହୋଇଥିବାବେଳେ ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ପ୍ରୀତି ପାଣିଗ୍ରାହୀ ଡେବ୍ୟୁ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୀରା ନାମ୍ନୀ ଜଣେ ୧୬ ବର୍ଷୀୟା କିଶୋରୀ ବୋର୍ଡିଂ ସ୍କୁଲରେ ପଢ଼ୁଥିବା ସମୟରେ ଜଣେ ସାଥୀ ଛାତ୍ରଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଉଭୟଙ୍କର ପ୍ରେମ ସମ୍ପର୍କରେ ମୀରା ଓ ତାଙ୍କ ମା’ଙ୍କ ମଧ୍ୟରେ ଦେଖାଯାଇଥିବା ତୀକ୍ତତାକୁ ଏହି ଫିଲ୍ମରେ ଭଲ ଭାବେ ଦର୍ଶାଯାଇଛି। ତେବେ ପୂର୍ବରୁ ମଧ୍ୟ ଏହି ଫିଲ୍ମ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛି। ରୋମାନିଆରେ ଅନୁଷ୍ଠିତ ହୋଇଥିବା ଟ୍ରାନ୍ସିଲ୍‌ଭାନିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଗର୍ଲସ୍‌ ଓ୍ବିଲ୍‌ ବି ଗର୍ଲସ୍‌’ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିଥିଲା। ସେହିପରି ୨୦୨୪ର ସନ୍‌ଡାନ୍‌ସ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ଏହି ଫିଲ୍ମ ୨ଟି ମୁଖ୍ୟ ପୁରସ୍କାର ଜିତିପାରିଥିଲା। ଏହି ପୁରସ୍କାର ଜିତି ରିଚା ଚଢ଼ା କହିଛନ୍ତି, ଆଇଏଫ୍‌ଏଫ୍‌ଏଲ୍‌ଏ ପରି ଏକ ଅନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିବା ନିଶ୍ଚିନ୍ତ ଭାବେ ଗର୍ବର ବିଷୟ। ‘ଗର୍ଲସ୍‌ ଓ୍ବିଲ୍‌ ବି ଗର୍ଲସ୍‌’ର ପୂରା ଟିମ୍‌ର କଠିନ ପରିଶ୍ରମକୁ ଏହି ପୁରସ୍କାର ସାର୍ଥକ କରିଛି।

Share