ପୂରଣ ହେଲା ଦୀର୍ଘଦିନର ସ୍ବପ୍ନ: ଦୁବାଇରେ ହିନ୍ଦୁଙ୍କ ଲାଗି ସ୍ଥାପନ ହେଲା ଭବ୍ୟ ମନ୍ଦିର

ଦଶହରାର ଶୁଭ ଅବସରରେ ଦୁବାଇର ଜେବେଲ ଅଲିରେ ଅବସ୍ଥିତ ଏକ ନବନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିରର ଉଦଘାଟନ ହୋଇଛି। ମଙ୍ଗଳବାର ଏହି ମନ୍ଦିର ଖୋଲା ଯାଇଥିଲେ ହେଁ ଆଜି ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏହାସହିତ, ବର୍ତ୍ତମାନ ଭକ୍ତମାନେ ମଧ୍ୟ ଏହି ଭବ୍ୟ ଓ ବିଶାଳ ମନ୍ଦିରର ପରିଦର୍ଶନ ଏବଂ ପୂଜା କରିବାର ସୁଯୋଗ ପାଇବେ। ଏହି ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର ଉପସ୍ଥିତ ଥିଲେ। ଆସନ୍ତୁ ଜାଣିବା ଏହି ମନ୍ଦିରକୁ ନେଇ କିଛି ସ୍ବତନ୍ତ୍ର କଥା:-

-ସଂଯୁକ୍ତ ଆରବ ଏମିରେଟ୍ସର ଅନ୍ୟତମ ପୁରାତନ ମନ୍ଦିର ହେଉଛି ସିନ୍ଧି ଗୁରୁ ଦରବାର ମନ୍ଦିର। ଦୁବାଇରେ ନିର୍ମିତ ଏହି ନୂତନ ହିନ୍ଦୁ ମନ୍ଦିର ଏହାର ସମ୍ପ୍ରସାରଣ।

-ୟୁଏଇରେ ରହୁଥିବା ଭାରତୀୟମାନେ ଦୀର୍ଘ ଦିନ ଧରି ପୂଜାପାଠ କରିବାର ସ୍ବପ୍ନ ଦେଖୁଥିଲେ। ବର୍ତ୍ତମାନ ଏହି ସମସ୍ତ ଭାରତୀୟଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଖବର ଅନୁଯାୟୀ, ଫେବୃଆରୀ ୨୦୨୦ ରେ ଏହି ବିଶାଳ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

-ଭକ୍ତମାନଙ୍କ ପାଇଁ ଏହି ମନ୍ଦିର ୫ ଅକ୍ଟୋବର ଅର୍ଥାତ ଆଜିଠାରୁ ଖୋଲାଯିବ। ଦଶହରାର ଶୁଭ ଅବସରରେ ସାଧାରଣ ଲୋକଙ୍କ ପାଇଁ ଏହି ମନ୍ଦିର ଖୋଲାଯାଇଛି।

– ଏହି ହିନ୍ଦୁ ମନ୍ଦିରରେ ୧୬ ଦେବତାଙ୍କୁ ସ୍ଥାପନ କରାଯାଇଛି। ଭକ୍ତମାନଙ୍କ ସହିତ ପରିଦର୍ଶକମାନେ ମଧ୍ୟ ଏହି ମନ୍ଦିର ଦର୍ଶନ କରିପାରିବେ ଙ। ଏଠାରେ ୧୬ ହିନ୍ଦୁ ଦେବତାଙ୍କ ସହିତ ଗୁରୁ ଗ୍ରନ୍ଥ ସାହେବ ମଧ୍ୟ ଅଛନ୍ତି।

-ଅନ୍ୟ ହିନ୍ଦୁ ମନ୍ଦିର ପରି ଏହି ମନ୍ଦିରର ସ୍ତମ୍ଭରେ ସୁନ୍ଦର କାରୁକାର୍ଯ୍ୟ କରାଯାଇଛି। ମନ୍ଦିରର ଆଗ ଭାଗରେ ଆରବୀ ଏବଂ ହିନ୍ଦୁ ଜ୍ୟାମିତିର ଡିଜାଇନ କରାଯାଇଛି। ପରମ୍ପରା ଅନୁଯାୟୀ ଏହି ମନ୍ଦିରରେ ଘଣ୍ଟି ମଧ୍ୟ ଲଗାଯାଇଛି।

-ଏହି ମନ୍ଦିରର ପ୍ରାଙ୍ଗଣ ବହୁତ ବଡ। ଯେଉଁଠାରେ ଏକ ସମୟରେ ହଜାର ହଜାର ଲୋକ ଉପସ୍ଥିତ ରହିପାରିବେ। ଦିନକୁ ପ୍ରାୟ ୧୦୦୦ ରୁ ୧୨୦୦ ଲୋକ ଆରାମରେ ଏହି ମନ୍ଦିର ପରିଦର୍ଶନ କରିପାରିବେ।

-ଦୁବାଇରେ ଅବସ୍ଥିତ ଏହି ହିନ୍ଦୁ ମନ୍ଦିର ସକାଳ ୬:୩୦ ରୁ ରାତି ୮:୦୦ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଭକ୍ତମାନେ ୱେବସାଇଟରେ QR- କୋଡ ଆଧାରିତ ନିଯୁକ୍ତି ବୁକିଂ ସିଷ୍ଟମ ମାଧ୍ୟମରେ ସେମାନଙ୍କର ଦର୍ଶନ ବୁକ କରିପାରିବେ।

Share