କଳାହାଣ୍ଡିରେ ହକି ବିଶ୍ୱ କପ୍‌କୁ ଭବ୍ୟ ସ୍ବାଗତ

କୋକସରା,୧।୧(ଡି.ଏନ୍‌.ଏ): ହକି ବିଶ୍ୱକପ୍‌ ଜାନୁୟାରୀ ୧୩ରୁ ୨୯ ତାରିଖ ଯାଏ ଭୁବନେଶ୍ୱର-ରାଉରକେଲାରେ ଖେଳାଯିବ। ଏହି ପରିପ୍ରେକ୍ଷୀରେ ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର ପାଇଁ ବିଶ୍ୱ ହକି କପ୍‌ ଟ୍ରଫିକୁ ରାଜ୍ୟ ସାରା ବୁଲାଯାଉଛି। ନବରଙ୍ଗପୁର ଜିଲାରୁ ରବିବାର ବିଶ୍ୱ ହକି କପ୍‌ ଟ୍ରଫି କଳାହାଣ୍ଡି ଜିଲା ସୀମା ଆମପାଣି ବୁଢ଼ାରଜା ମନ୍ଦିରଠାରେ ପହଞ୍ଚି ଥିଲା। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ଟ୍ରଫିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସ୍ବାଗତ ଉତ୍ସବରେ ଧର୍ମଗଡ଼ ବିଧାୟକ ମୋଷଧି ବାଗ, ଉପଜିଲାପାଳ ବେଦ ଭୂଷଣ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଆମପାଣି ପଞ୍ଚାୟତ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଆତ୍ମା ଅଧ୍ୟକ୍ଷ ଋ଼ତୁରାଜ ମାଝୀଙ୍କ ସମେତ କୋକସରା ବ୍ଲକ ପ୍ରଶାସନର କର୍ମଚାରୀ, ସମାଜସେବୀ, ମିଶନ ଶକ୍ତି ଓଏଲଏମ ମହିଳା କର୍ମଚାରୀ ଓ ଆମପାଣି ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ସ୍ବାଗତ ପରେ ଟ୍ରଫିକୁ ଏକ ଶୋଭାଯାତ୍ରାରେ ବୁଢ଼ାରଜା ମନ୍ଦିରରୁ ବୁଢ଼ାରଜା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣାଯାଇଥିଲା। ପରେ ଉପଜିଲାପାଳ ଟ୍ରଫିକୁ ମଞ୍ଚକୁ ଆଣିଥିଲେ। ଏପରିକି ମୋଟେର ଛକରେ ସରପଞ୍ଚ ବାସନ୍ତି ନାଏକଙ୍କ ନେତୃତ୍ୱରେ ଟ୍ରଫିକୁ ସ୍ବାଗତ କରାଯାଇଥିଲା। ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଜୁନାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ହକି ଟ୍ରଫିକୁ ସ୍ବାଗତ କରି ଜୁନାଗଡ଼ ଓ ପରେ ଭବାନୀପାଟଣା ଅଭିମୁଖେ ରଥ ଯାଇଥିଲା।