ନାତିଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ

କୋଷାଗୁମୁଡ଼ା,୩୧ା୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ସଦର ପଞ୍ଚାୟତର କାନାଗୁଡ଼ା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବଳଦକୁ ଗାଧୋଇବା ବେଳେ ଜେଜେ ଏବଂ ନାତି ବୁଡ଼ିଯାଇଥିଲେ। ଫଳରେ ଦୁହିଁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗାଁର ଲବ ହରିଜନ(୬୪) ଓ ତାଙ୍କର ୯ ବର୍ଷର ନାତି ସୂରଜ।
ଘଟଣାରୁ ପ୍ରକାଶ, ଲବ ନାତିକୁ ନେଇ ଚାଷ ଜମିକୁ ଯାଇଥିଲେ। ଅପରାହ୍ନରେ ଚାଷକାମ ସରିବା ପରେ ବଳଦକୁ ଗାଧୋଇବା ପାଇଁ ଦୁହେଁ ନିକଟସ୍ଥ ଛଞ୍ଚାଣକୋଟ ସ୍ଥିତ ପୋଖରୀକୁ ନେଇଥିଲେ। ଏହି ସମୟରେ ପୋଖରୀରେ ନାତିଙ୍କ ଗୋଡ଼ ଖସିଯିବାରୁ ବୁଡ଼ିଯାଇଥିଲେ। ନାତିକୁ ଉଦ୍ଧାର କରିବାକୁ ଯାଇ ଜେଜେ ମଧ୍ୟ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଦୁହେଁ ଘରକୁ ନ ଫେରିବାରୁ ପରିବାର ଲୋକେ ଏବଂ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ପୋଖରୀକୁ ଯାଇ ଦେଖିଲା ବେଳକୁ ସେମାନଙ୍କ ପୋଷାକ ଭାସୁଥିବା ଦେଖି ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଖୋଜାଖୋଜି କରି ଉଭୟଙ୍କୁ ଉଦ୍ଧାର କରି କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share