ଏବେ ବି ଗଡ଼ୁଛି ଜେଜେବାପାଙ୍କ ସାଇକେଲ

କାମାକ୍ଷାନଗର,୯।୨(ଅମ୍‌ଜାଦ୍‌ ଖାନ୍‌): ଅନେକ ପରିବାରରେ ବରିଷ୍ଠ ନାଗରିକ ଅବହେଳାର ଶିକାର ହେଉଛନ୍ତି। ନିଜର ଲୋକମାନଙ୍କ ଦ୍ୱାରା ଉପେକ୍ଷିତ ହେଉଛନ୍ତି। ଆଦର, ଯତ୍ନ ତ ଦୂରର କଥା ସମ୍ମାନ ଟିକେ ଦେବାକୁ ସେମାନେ ଉଚିତ ମଣୁନାହାନ୍ତି। ଏପରି ଘଟଣା ଏବେ ନିତିଦିନିଆରେ ପରିଣତ ହେଲାଣି। ହେଲେ ଏବେ ବି କେତେକ ପରିବାର ବରିଷ୍ଠଙ୍କୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ଏପରି କି ସ୍ବର୍ଗବାସ ପରେ ମଧ୍ୟ ବରିଷ୍ଠମାନେ ବ୍ୟବହାର କରୁଥିବା ସାମଗ୍ରୀକୁ ସନ୍ତକ କରି ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। କେହି କେହି ତ ତାହାକୁ ନିଜ କାର୍ଯ୍ୟରେ ଲଗାଉଛନ୍ତି। ଜେଜେବାପାଙ୍କ ସାଇକେଲକୁ ଏବେ ବି ବ୍ୟବହାର କରି ଏହାର ଉଦାହରଣ ପାଲଟିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଢ଼ିସାହିର ବରିଷ୍ଠ ଓକିଲ ଦ୍ୱିତୀକୃଷ୍ଣ ବିଶ୍ୱାଳ (୬୯) ଓ ତାଙ୍କ ପରିବାର।
ଦ୍ୱିତୀକୃଷ୍ଣଙ୍କ କହିବା ଅନୁଯାୟୀ, ତାଙ୍କ ଜେଜେବାପା ତଥା ତତ୍କାଳୀନ ମଢି ଗାଁ ଅଞ୍ଚଳର ବିଶିଷ୍ଟ ସାମାଜିକ କର୍ମୀ ତଥା ମାନିତ ପଞ୍ଚାୟତ ସଭାର ମୁଖିଆ ଓ ଗାଁ ସଭାପତି ଲମ୍ବୋଦର ବିଶ୍ୱାଳ ୧ ଅଗଷ୍ଟ ୧୯୪୫ରେ କଲିକତାରୁ ସିବ୍ଲ୍ୟୁସି (ଜିପ୍‌ ମଡେଲ) ମେଡ୍‌ ଇନ୍‌ ବର୍ମିଂହାର୍ମ ଇଂଲଣ୍ଡର ଏକ ସାଇକେଲ କିଣିଥିଲେ। ଯାହାର ମୂଲ୍ୟ ଥିଲା ୪୦ ଟଙ୍କା। ସେ ସମୟରେ ଉକ୍ତ ସାଇକେଲକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିଲା। ପିଢ଼ି ପରେ ପିଢି ବିତି ଯାଇଥିଲେ ମଧ୍ୟ ସାଇକେଲଟି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରହିଛି। ଏପରି କି ଲମ୍ବୋଦରଙ୍କ ପରେ ତାଙ୍କ ପୁତ୍ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରମୋଦ ବିଶ୍ୱାଳ ତାହାକୁ ବ୍ୟବହାର କରୁଥିଲେ। ତାଙ୍କ ପରେ ନାତି ଦ୍ୱିତୀକୃଷ୍ଣ ଉକ୍ତ ସାଇକେଲକୁ ଚଳାଇଛନ୍ତି। ଜେଜେଙ୍କ ଏହି ସନ୍ତକର ଉତ୍ତରାଧିକାରୀ ହୋଇ ଗର୍ବ ଅନୁଭବ କରୁଛି ବୋଲି ଦ୍ୱିତୀକୃଷ୍ଣ ପ୍ରକାଶ କରିଛନ୍ତି।