ଅନ୍‌ଲାଇନ୍‌ ଗେମ୍‌ ଖେଳି ଜେଜେବାପାଙ୍କ ଆକାଉଣ୍ଟ ଖାଲି କଲେ ନାତି

ଲୁଧିଆନା,୬।୭: ଅନ୍‌ଲାଇନ୍‌ରେ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କ ସଉକ ପାଲଟିଗଲାଣି। ଏଥିଯୋଗୁ ପିଲାମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପଡ଼ିବା ସହ ଅଭିଭାବକଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଉଛି। ଅନ୍‌ଲାଇନ୍‌ ଗେମ୍‌କୁ ପିଲାମାନେ ଏତେ ଆଶକ୍ତ ହୋଇଯାଇଛନ୍ତି ଯେ, ତାଙ୍କ ଚାରିପାଖରେ କ’ଣ ଘଟୁଛି ତାହା ଜାଣିପାରୁନାହାନ୍ତି। କିଛି ଏଭଳି ଘଟଣା ଘଟିଛି ପଞ୍ଜାବରେ। ପୁଣି ଜଣେ ନାବାଳକ ପବ୍‌ଜି ଖେଳି ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବର ମୋହାଲିରେ ଜଣେ ୧୫ବର୍ଷର ନାବାଳକ ମୋବାଇଲରେ ପବ୍‌ଜି ଖେଳି ନିଜ ଜେଜେବାପାଙ୍କ ଆକାଉଣ୍ଟରୁ ୨ଲକ୍ଷଟଙ୍କା ଖର୍ଚ୍ଚ କରିଦେଇଥିବା ଅଭିଯୋଗ ହୋଇଛି। ଜେଜେବାପାଙ୍କ ପେନ୍‌ସନ୍‌ ଟଙ୍କାଙ୍କୁ ଉକ୍ତ ନାବାଳକ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଗତ ୨ମାସ ଭିତରେ ସେ ୩୦ଟି ଟ୍ରାଞ୍ଜାକ୍ସନ କରିଥିବା ବେଳେ ନିକଟରେ ପେଟିଏମ୍‌ ଜରିଆରେ ଟଙ୍କା ଦେଇଥିବା ଜଣାପଡ଼ିଛି। ନାବାଳକଙ୍କ ଏଭଳି କାରନାମା ବିଷୟରେ ପରିବାର ଲୋକଙ୍କୁ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ପାସ୍‌ବୁକ ଅପଡେଟ୍‌ ପାଇଁ ବ୍ୟାଙ୍କକୁ ଯାଇଥିଲେ। ତେବେ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ନେଇ ଉକ୍ତ ନାବାଳକ ମଧ୍ୟ ସ୍ବୀକାର କରିଥିଲେ। ଏହି ମାମଲାରେ ଉକ୍ତ ନାବାଳକଙ୍କ ସ୍କୁଲର ଜଣେ ସିନିୟର ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କାରଣ ଉକ୍ତ ନାବାଳକଙ୍କୁ ଛାତ୍ର ଜଣଙ୍କ ଏଭଳି କରିବା ପାଇଁ ଉସୁକାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତ ସପ୍ତାହରେ ପଞ୍ଜାବରେ ୧୭ ବର୍ଷର ଜଣେ ନାବାଳକ ବାପାଙ୍କ ଆକାଉଣ୍ଟରୁ ୧୬ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଥିଲେ।

Share