ଭୁଲ୍‌ ତଥ୍ୟ ଦେଇ ଲୁଟୁଛନ୍ତି ଅନୁଦାନ

ନୂଆଗାଁ,୧୭।୪(ଡି.ଏନ.ଏ.): ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ କର୍ମଚାରୀ ଅସତ୍‌ ଉପାୟ ଅବଲମ୍ବନ କରି ସେହି ଅନୁଦାନକୁ ଆତ୍ମସାତ କରୁଛନ୍ତି। ଏପରିକି ଅନୁଦାନ ଲୁଟିବା ପାଇଁ ସରକାରଙ୍କୁ ଭୁଲତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହେଉଛି। ଏ ବାବଦରେ ଉଚ୍ଚ ପଦାଧିକାରଙ୍କ ନିକଟରେ ଅଭିଯୋଗ ହେଉଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପ୍ରତି କାମରେ ମୋଟା ଅଙ୍କର ପିସି କାରବାର ସହିତ ରାଜନୈତିକ ଚାପ ଯୋଗୁ ଅଧିକାରୀମାନଙ୍କ ମୁହଁ ବନ୍ଦ ରହୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। ନୟାଗଡ଼ ଜିଲା ନୂଆଗାଁ ବ୍ଲକରୁ ଏପରି ଅଭିଯୋଗ ସାମ୍‌ନାକୁ ଆସିଛି।
ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକର ବିଭିନ୍ନ ବିଭାଗର କେତେଜଣ କର୍ମଚାରୀ ନାନା ଉପାୟରେ ସରକାରୀ ଅନୁଦାନ ଲୁଟିବାରେ ଲାଗିପଡିଛନ୍ତି। ଉଦୟପୁର ପଞ୍ଚାୟତରେ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଏକାଧିକ ଘର ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଫଟୋ ଏଡିଟିଂ କରି ତାହାକୁ ସମ୍ପୂର୍ଣ୍ଣ ଦର୍ଶାଯାଉଛି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ତଦନ୍ତ କରାଯାଉନାହିଁ। ଏପରି କି ବିଭାଗୀୟ ଅଧିକାରୀମାନେ ହିତାଧିକାରୀଙ୍କ ପାଖକୁ ଯାଇ ପ୍ରକୃତ ସ୍ଥିତି ଅନୁଧ୍ୟାନ କରୁନାହାନ୍ତି। ସେହିପରି ସମାନ ଫଟୋକୁ ଦୁଇ ଦୁଇ ଜଣ ହିତାଧିକାରୀଙ୍କ ଆଇଡିରେ ଅପ୍‌ଲୋଡ କରି ଅନୁଦାନ ଆତ୍ମସାତ୍‌ କରାଯାଉଛି। ଆବାସ ଯୋଜନାର ପ୍ରୋତ୍ସାହନ ରାଶି ଆତ୍ମସାତ୍‌ କରିବା ପାଇଁ ଘରର ଲିନେଟଲ ଢଳେଇ ପଡ଼ିବାର ୩ ଦିନ ପରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଦର୍ଶାଯାଇଛି । ଉଦାହରଣ ସ୍ବରୂପ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ବାସୁଦେବ ମହାକୁଡ ୧୧ ଜାନୁୟାରୀ ୨୦୨୧ରେ ଲିନ୍‌ଟେଲ ଢଳେଇ କରିଥିବା ବେଳେ ଜାନୁୟାରୀ ୧୪ ( ୩ ଦିନ ପରେ)ରେ ଗୃହ ନିର୍ମାଣ ଶେଷ ହୋଇଥିବା ଫଟୋ ଅପ୍‌ଲୋଡ କରାଯାଇଛି । ସେହିପରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଆଇଜିଏସ୍‌) କାମକୁ ମେଶିନରେ କରି କାମ ଶେଷ ହେବାର କିଛି ଦିନ ପରେ ସମାନ ଲୋକଙ୍କ ଫଟୋକୁ ବିଭିନ୍ନ ପ୍ରକଳ୍ପର ଆଇଡିରେ ଅପ୍‌ଲୋଡ କରାଯାଉଛି। ଉଦୟପୁର ପଞ୍ଚାୟତରେ ଗତ ୧୩ ତାରିଖରେ ୧୦ ଜଣ ଶ୍ରମିକଙ୍କ ଫଟୋକୁ ଦୁଇଟି ପ୍ରକଳ୍ପରେ ଅପ୍‌ଲୋଡ କରି ୨୦୦ ଜଣ ଶ୍ରମିକଙ୍କ ଅନୁଦାନ ଲୁଟ ହୋଇଥିବା ଅଭିଯୋଗ ହେଉଛି । ତେବେ ତଳସ୍ତରରେ ଜିଆରଏସ୍‌ ଏହି ଜିଓ ଟ୍ୟାଗ୍‌ କାର୍ଯ୍ୟ ଓ ଫଟୋ ଉଠାଇ ଅପ୍‌ଲୋଡ କାମ କରୁଥିବା ବେଳେ ସେମାନେ ମୋଟା ଅଙ୍କର ପିସି ନେଇ ଶ୍ରମିକମାନଙ୍କ ଟଙ୍କାକୁ ଲୁଟୁଛନ୍ତି। ଏପରି କି ଜିଆରଏସ୍‌ମାନେ ଚାକିରୀ ପାଇବା ପରେ ବହୁ ସମ୍ପତ୍ତିର ଅଧିକାରୀ ହେଉଥିବା ଅଭିଯୋଗ ହେଉଛି। ସମାନ ଫଟୋ ଅପ୍‌ଲୋଡ ଓ ଅନୁଦାନ ଲୁଟ ବାବଦରେ ନୂଆଗାଁ ବିଡିଓ ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ମୁଁ ନିଜେ ଏସବୁର ତଦନ୍ତ କରି ବୁଝିବି ବୋଲି କହିଛନ୍ତି।