୧୦୫ବର୍ଷ ପୂର୍ବେ ପାଣି ନୁହେଁ ହୋଇଥିଲା ‘ଗୁଡ’ର ଭୟଙ୍କର ସୁନାମି, ଚାଲିଯାଇଥିଲା ୨୧ଜଣଙ୍କ ଜୀବନ

ବୋଷ୍ଟନ,୨।୧: ଇତିହାସରେ ଏପରି ଅନେକ ଘଟଣା ଘଟିଛି, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ ବରଂ ଏପରି ଘଟଣା ଯାହା ଲୋକଙ୍କୁ ଅସ୍ବାଭାବିକ ଭାବେ ଭାବିବାକୁ ବାଧ୍ୟ କରିଦେଇଛି। ସୁନାମି ଘଟଣା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ। ସାରା ବିଶ୍ୱରେ ସୁନାମି ନେଇ ବିଭିନ୍ନ ଘଟଣାବଳୀ ଦେଖାଯାଏ। ଜନଜୀବନ କ୍ଷୟକ୍ଷତି ସହ ସାରା ଅଞ୍ଚଳରେ ସୁନାମି ତାଣ୍ଡବ ରଚିଥାଏ। ନିକଟରେ ଜାପାନରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ବିଷୟରେ ଶୁଣିଥିବେ। ଭୂକମ୍ପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠି ସୁନାମିର ରୂପ ନେଇଛି।

ତେବେ ଏହା ତ ଗଲା ପ୍ରାକୃତିକ ବିପର୍ଯ୍ୟୟ କଥା। କେବେ କୃତିମ ସୁନାମି ବା ଗୁଡ ସୁନାମି ବିଷୟରେ ଜାଣିଛନ୍ତି କି? ଶୁଣି ତାଜୁବ ହେଉଥିବେ। କିନ୍ତୁ ଏପରି ସୁନାମି ହୋଇଛି। ହଁ ଆମେ ଆପଣଙ୍କୁ ଖାଦ୍ୟରେ ବ୍ୟବହାର ହେଉଥିବା ଗୁଡ କଥା କହୁଛୁ। ଅତୀତରେ ଗୁଡରେ ସୁନାମି ହୋଇ ୨୧ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି।

ଏହି ଅଜବ ଘଟଣା ‘ଗ୍ରେଟ ବୋଷ୍ଟନ ମୋଲାସେସ ବନ୍ୟା’ ବା ‘ମୋଲାସେସ ବନ୍ୟା’ ଭାବରେ ଜଣାଶୁଣା। ଏହି ଘଟଣା ପ୍ରାୟ ୧୦୫ ବର୍ଷ ପୂର୍ବେ, ଅର୍ଥାତ୍‌ ୧୯୧୯ ଜାନୁଆରୀ ୧୫ରେ ଘଟିଥିଲା। ଘଟଣା ଏହା କି, ୧୩ହଜାର ମେଟ୍ରିକ ଟନ୍‌ରୁ ଅଧିକ ଓଜନ ବିଶିଷ୍ଟ ଏକ ଟ୍ୟାଙ୍କ ପ୍ରାୟ ୨.୩ ନିୟୁତ ଗ୍ୟାଲନ ହଠାତ ଫାଟିଯାଇଥିଲା। ଯାହା ପରେ ବୋଷ୍ଟନ ରାସ୍ତାରେ ଏହା ଭୟଙ୍କର ସୁନାମି ରୂପ ଧାରଣ କରିଥିଲା। ସମୁଦ୍ରରେ ଆସୁଥିବା ସୁନାମି ପରି ଏହା ପ୍ରାୟ ୪୦ଫୁଟ ଉଚ୍ଚ ଜୁଆର ବୋଷ୍ଟନ ସଡକରେ ହାହାକାର ରଚିଥିଲା। କେବଳ ଏତିକି ନୁହେଁ, ଘଣ୍ଟା ପ୍ରତି ପ୍ରାୟ ୩୫ ମାଇଲ ବେଗରେ ରାସ୍ତାରେ ଜୁଆର ଖେଳିଥିଲା।

ରିପୋର୍ଟ ଅନୁଯାୟୀ, ଗୁଡର ସୁନାମି ଏତେ ତୀବ୍ର ଥିଲା ଯେ ଏହାର ଆଖପାଖ ଅଟ୍ଟାଳିକାଗୁଡ଼ିକ ସହ ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଏଥିରେ ଶିକାର ହୋଇଥିଲେ। ବୋଷ୍ଟନ ସଡକରେ ପ୍ରାୟ ୮୦୦ ମିଟର ପର୍ଯ୍ୟନ୍ତ ଏହା ବ୍ୟାପି ଯାଇଥିଲା। ଏପରି ଭୟଙ୍କର ଓ ଅକସ୍ମାତ ଘଟଣାରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଥିଲେ।

ସୂଚନା ଅନୁଯାୟୀ, ଆମେରିକାର ଇଣ୍ଡଷ୍ଟ୍ରିଆଲ ଆଲକୋହଲ କମ୍ପାନୀର ମାଲିକାନାରେ ଥିବା କାରିବିଆନ ଅଞ୍ଚଳରୁ ବୋଷ୍ଟନ ବନ୍ଦରକୁ ଏହି ଗୁଡ ଅଣାଯାଇଥିଲା। ଏହାପରେ ଜାହାଜରୁ ଟ୍ୟାଙ୍କକୁ ଗୁଡ ଭର୍ତ୍ତି କରିବାବେଳେ ଟ୍ୟାଙ୍କଟି ପୁରି ଯାଇ ଫାଟି ଯାଇଥିଲା।। ଏହି ଦୁର୍ଘଟଣାରେ ଗୁଡ ତଳେ ପୋତି ହୋଇ ମୃତକଙ୍କୁ ଉଦ୍ଧାର କରିବାକୁ ଅନେକ ସପ୍ତାହ ଲାଗି ଯାଇଥିଲା। ଏହି ଘଟଣାରେ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ ୬,୨୮,୦୦୦ ଡଲାର ଅର୍ଥାତ ପ୍ରାୟ ୫ କୋଟି ୨୩ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା।

Share