Categories: ବାଣିଜ୍ୟ

ଓଡ଼ିଶା ଷ୍ଟିଭେଡର୍ସକୁ ‘ଗ୍ରେଟ୍‌ ବ୍ରାଣ୍ଡ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୧୩।୭: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଆନ୍ତର୍ଜାତିକ ପୁରସ୍କାର ଏବଂ ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଏହାର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ମହିମାନନ୍ଦ ମିଶ୍ର (ମହିମା ମିଶ୍ର)ଙ୍କୁ ମଧ୍ୟ ‘ଶ୍ରେଷ୍ଠ ନେତୃତ୍ୱ’ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ସାମୁଦ୍ରିକ ବ୍ୟବସାୟ କ୍ଷେତ୍ରରେ ମହିମା ମିଶ୍ରଙ୍କୁ ୨ଟି ଆନ୍ତର୍ଜାତିକ ପୁରସ୍କାର ଦିଆଯାଇଛି। ବିଶେଷ କରି ଦୁବାଇ ସ୍ଥିତ ଜେଡବ୍ଲ୍ୟୁ ମାରିଅଟ ମାର୍କ୍ୱିସ ହୋଟେଲର ବିଜ୍‌ନେସ ବେ’ରେ ଆୟୋଜିତ ଏକ ସ୍ବତନ୍ତ୍ର ସମ୍ମାନ ସମାରୋହ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଯୁକ୍ତ ଆରବ ଏମିରେଟସ ଆନ୍ତର୍ଜାତିକ ନିବେଶକ ପରିଷଦର ସେକ୍ରେଟାରି ଜେନେରାଲ ଜମାଲ ବିନ୍‌ ସୈଫ୍‌ ଅଲ୍‌ ଜାରୱାନଙ୍କ ଦ୍ୱାରା ଉକ୍ତ ପୁରସ୍କାର ଦ୍ୱୟ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ମହିମା ମିଶ୍ର ‘ଶ୍ରେଷ୍ଠ ନେତୃତ୍ୱ’ ସମ୍ମାନରେ ସମ୍ମାନିତ ହୋଇଥିବାବେଳେ ସାମୁଦ୍ରିକ ବ୍ୟବସାୟ କ୍ଷେତ୍ରରେ ଓଏସ୍‌ଏଲ୍‌ ‘ଶ୍ରେଷ୍ଠ ବ୍ରାଣ୍ଡ୍‌’ ଭାବେ ବିବେଚିତ ହୋଇଛି। ଅପରପକ୍ଷରେ ଏସିଆ-ଆଫ୍ରିକା ବିଜ୍‌ନେସ ଆଣ୍ଡ ସୋସିଆଲ ଫୋରମ (ଏଏବିଏସ୍‌ଏଫ୍‌) ର ୨୦ ତମ ସଂସ୍କରଣ ଏବଂ ୱାର୍ଲଡସ ଗ୍ରେଟେଷ୍ଟ ବ୍ରାଣ୍ଡ୍‌ସ ଆଣ୍ଡ ଲିଡର୍ସ-୨୦୨୩ର ଏସିଆ ଆଣ୍ଡ ଜିସିସି ଆୱାର୍ଡସ ସମ୍ମିଟର ୧୧ତମ ସଂସ୍କରଣର ଯୁଗ୍ମ କାର୍ଯ୍ୟକ୍ରମ ରହିଥିଲା। ସୂଚନାଯୋଗ୍ୟ, ଏସିଆୱାନ ମାଗାଜିନ ଏବଂ ୟୁଡବ୍ଲ୍ୟୁଜି ମିଡିଆ କନସଲଟିଂ ପି.ଏଲ. ଦ୍ୱାରା ଉପରୋକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Share