ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଦୈନନ୍ଦିନ ଜୀବନରେ ବୃକ୍ଷର ଆବଶ୍ୟକତା ଖୁବ୍ ବେଶି। କିନ୍ତୁ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି। ଜନସାଧାରଣ ସଚେତନ ନ ହେବା ଯୋଗୁ ଭବିଷ୍ୟତରେ ଏହା ବଡ଼ ବିପଦ ସୃଷ୍ଟି କରିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ସାମାଜିକ ଅନୁଷ୍ଠାନ ଦିବ୍ୟଦିଗନ୍ତର ସ୍ବନକ୍ଷତ୍ର ଉତ୍ସବରେ ଅତିଥିମାନେ ଯୋଗଦେଇ ଏହା କହିବା ସହ ସତର୍କ କରାଇଛନ୍ତି। ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ. ଅଶୋକ ମହାପାତ୍ର ଯୋଗଦେଇ ସ୍ବାସ୍ଥ୍ୟ ସଚେତନତା ଉପରେ ଆଲୋକପାତ କରିବା ସହ ଦେଶୀୟ ଚିକିତ୍ସା ପଦ୍ଧତିରେ ସୁସ୍ଥ ରହିବାର ଉପାୟ କହିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ସୂଚନା ଆୟୁକ୍ତ ଜଗଦାନନ୍ଦ ସମାଜ ପ୍ରତି ସାମାଜିକ ଅନୁଷ୍ଠାନର ପ୍ରତିବଦ୍ଧତା ବିଷୟରେ କହିଥିଲେ। ସମ୍ମାନିତ ଅତିଥି ଭାବେ ସୁବ୍ରତ ପାଣିଗ୍ରାହୀ ଯୋଗଦେଇ କହିଲେ, ଜନସାଧାରଣଙ୍କ ଅପରିଣାମ ଦର୍ଶିତା, ଦୂରଦୃଷ୍ଟିର ଅଭାବ ହେତୁ ପରିବେଶ ଅସୁନ୍ତଳିତ ହେଉଛି। ଏହାକୁ ରକ୍ଷା ନ କଲେ ଆଗାମୀ ଦିନରେ ବିଶ୍ୱ ଧ୍ୱଂସ ହେବ। ଏହି ଅବସରରେ ସେ କେତେକ ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷା ମମତା ବିଶ୍ୱାଳ ଓ ସହ-ପ୍ରତିଷ୍ଠାତା ତଥା ସଭାପତି ଜୟ ପ୍ରକାଶ ମିଶ୍ର ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାବଳୀର ସୂଚନା ଦେବା ସହ ଯୋଗ, ଆକ୍ୟୁପ୍ରେସର ମାଧ୍ୟମରେ ସୁସ୍ଥ ରହିବାର କୌଶଳ ବୁଝାଇଥିଲେ। ଔଷଧୀୟ ବୃକ୍ଷ ତଥା ବିଲୁପ୍ତ ପ୍ରାୟ କିଛି ଗଛ ସଭାଗୃହର ପ୍ରବେଶ ଦ୍ୱାର ସମ୍ମୁଖରେ ରଖାଯାଇ ଏକ ଉଦ୍ୟାନ ବଗିଚା ସୃଷ୍ଟି କରାଯାଇଥିଲା। ଅନୁଷ୍ଠାନର ଉପଦେଷ୍ଟା ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।