Categories: ଜାତୀୟ

ବିରୋଧୀ ଏକତାକୁ ବଡ଼ ଝଟ୍‌କା,୨୦୨୪ରେ ମହାମେଣ୍ଟରେ ସାମିଲ୍‌ ହେବାକୁ ମନା କଲେ କେଜ୍ରିଓ୍ବାଲ …

ନୂଆଦିଲ୍ଲୀ, ୯।୫ : ବିରୋଧୀ ଏକତାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଝଟକା ଦେଇଛନ୍ତି। ଏଏପି ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମହାମେଣ୍ଟରେ ଯୋଗ ଦେବ ନାହିଁ ବୋଲି କେଜ୍ରିଓ୍ବାଲ ସ୍ପଷ୍ଟ ଭାବରେ କହିଛନ୍ତି। ତାଙ୍କର ସହଯୋଗୀତା କେବଳ ୧୩୦ କୋଟି ଭାରତୀୟଙ୍କ ସହ ହେବ ବୋଲି ସେ କହିଛନ୍ତି।

ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେଜ୍ରିୱାଲ କହିଛନ୍ତି ଯେ କୌଣସି ମେଣ୍ଟ ପ୍ରତି ତାଙ୍କର ଆଗ୍ରହ ନାହିଁ। ମେଣ୍ଟ ଦ୍ୱାରା କାହାକୁ ପରାଜିତ କରିବାକୁ ମୁଁ ଚାହେଁନା। ମୁଁ ଚାହେଁ ଦେଶ ବିଜୟ ହାସଲ କରୁ।

କେତେକ ରାଜ୍ୟ ତଥା ଦେଶ ଆର୍ଥିକ ଅସ୍ଥିରତା ଆଡକୁ ମୁହାଁଉଥିବା ଚିନ୍ତାଧାରାର ପୃଷ୍ଠଭୂମିରେ କେଜ୍ରିୱାଲ କହିଛନ୍ତି ଯେ ଏହି ଆଶଙ୍କା ଭିତ୍ତିହୀନ। ସେ କହିଛନ୍ତି, ଏହି ସମସ୍ତ ଅର୍ଥନୀତିଜ୍ଞ ଲେଖୁଛନ୍ତି ଯେ ସବସିଡି ସଂସ୍କୃତି ଦେଶକୁ ଧ୍ୱଂସ କରିବ। ଦୁର୍ନୀତି ସଂସ୍କୃତି ଦେଶକୁ ଧ୍ୱଂସ କରିବ ବୋଲି ସେମାନେ କେବେ ମଧ୍ୟ ଲେଖି ନାହାଁନ୍ତି।

ମୁଁ ମାଗଣାରେ ଜିନିଷ ଦେବାରେ ସକ୍ଷମ, କାରଣ ଆମେ ଦୁର୍ନୀତିକୁ ସମାପ୍ତ କରିଛୁ। ତେଣୁ ସଞ୍ଚୟ ହୋଇଥିବା ଟଙ୍କା ଲୋକଙ୍କ ନିକଟକୁ ଫେରାଇ ଦିଆଯାଉଛି ବୋଲି କ୍ରେଜିଓ୍ବାଲ କହିଛନ୍ତି।

 

ଭାଜପାର ନାମ ନନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ ଏକ ବଡ ଦଳ ଅପରାଧିଙ୍କ ଦ୍ୱାରା ହିଂସାକୁ ପ୍ରୋତ୍ସାହିତ କରୁଛି। ଦଙ୍ଗାର ଷଡ଼ଯନ୍ତ୍ର ହେଉଛି। ବଳାତ୍କାରୀଙ୍କ ପାଇଁ ଶୋଭାଯାତ୍ରା କରାଯାଉଛି। ଯଦି ଆପଣମାନେ ଏଭଳି ଚାହୁଁଛନ୍ତି ତେବେ ହିଂସାକାଣ୍ଡ ଭିଆଉଥିବା ଲୋକଙ୍କ ସହିତ ଯାଇପାରିବେ। ମାତ୍ର ଯଦି ପ୍ରଗତି, ବିଦ୍ୟାଳୟ ଏବଂ ଡାକ୍ତରଖାନା ଚାହୁଁଛନ୍ତି ତେବେ ମୋ ସହିତ ଆସିପାରିବେ। ଆସନ୍ତୁ ୧୩୦ କୋଟି ସାଧାରଣ ଲୋକଙ୍କର ଏକ ମିଳିତ ମେଣ୍ଟ ଗଠନ କରିବା ବୋଲି ସେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ଦଳର ଧ୍ୟାନ ୨୦୨୪ ଲୋକସଭା ନିର୍ବାଚନ ଉପରେ ନୁହେଁ ବରଂ ଦେଶ ପାଇଁ କାମ କରିବା ଉପରେ ରହିଛି। ସେ କହିଛନ୍ତି ଯେ ତାଙ୍କ ପରି ଲୋକମାନେ ଦେଶ ସେବା କରିବା ପାଇଁ ନିଜ କ୍ୟାରିଅର୍‌ ଛାଡିଛନ୍ତି।

Share