Categories: ଜାତୀୟ

ଭାରତୀୟ ଆଣବିକ କାର୍ଯ୍ୟକ୍ରମରେ ବଡ଼ ସଫଳତା

ଚେନ୍ନାଇ,୫।୩: ତାମିଲନାଡୁର କଳ୍ପକମ୍‌ଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରୋଟୋଟାଇପ୍‌ ଫାଷ୍ଟ ବ୍ରିଡିଂ ରିଆକ୍ଟର (ପିଏଫ୍‌ବିଆର୍‌) ସୋମବାର ବଡ଼ ସଫଳତା ହାସଲ କରିଛି। ବିଦ୍ୟୁତ୍‌ ଉତ୍ପାଦନ ଲାଗି ଏକ ପ୍ରମୁଖ ପ୍ରକ୍ରିୟା ସ୍ବରୂପ ପିଏଫ୍‌ବିଆର୍‌ରେ ‘କୋର୍‌ ଲୋଡ଼ିଂ’ ଆରମ୍ଭ ହୋଇଛି, ଯାହା ଏକ ଐତିହାସିକ ସଫଳତା ବୋଲି କୁହାଯାଉଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ। ଭାରତୀୟ ନାଭିକୀୟ ବିଦ୍ୟୁତ୍‌ ନିଗମ ଲିଃ ଦ୍ୱାରା ନିର୍ମିତ ଏହି ୫୦୦ ମେଗାଓ୍ବାଟ ଫାଷ୍ଟ ବ୍ରିଡର ରିଆକ୍ଟରରେ ୨୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଶିଳ୍ପସଂସ୍ଥା ଅବଦାନ ରହିଛି। ଏହା କାର୍ଯ୍ୟକ୍ଷମ ହେଲେ ବ୍ୟବସାୟିକ ଭାବେ ଫାଷ୍ଟ ବ୍ରିଡର ରିଆକ୍ଟର ଅପରେଟିଂରେ ରୁଷିଆ ପରେ ଭାରତ ଦ୍ୱିତୀୟ ଦେଶ ହେବ। ଆମେରିକା, ଜାପାନ ଏବଂ ଫ୍ରାନ୍ସ ଏଭଳି ରିଆକ୍ଟର ବିକାଶ କରିବାକୁ ଉଦ୍ୟମ କରି ବାରମ୍ବାର ବିଫଳ ହୋଇଛନ୍ତି। ରିଆକ୍ଟରରେ ପ୍ରଥମେ ୟୁରାନିୟମ-ପ୍ଲୁଟୋନିୟମ ମିକ୍ସଡ୍‌ ଅକ୍ସାଇଡ୍‌ (ଏମ୍‌ଓଏକ୍ସ) ଇନ୍ଧନ ବ୍ୟବହାର କରାଯିବ। ଫୁଏଲ୍‌ କୋର୍‌ ଚାରିପଟେ ରହୁଥିବା ୟୁରାନିୟମ-୨୩୮ରେ ଆଣବିକ ରୂପାନ୍ତର ହୋଇ ଅଧିକ ଇନ୍ଧନ ସୃଷ୍ଟି ହେବ। ସେଥିପାଇଁ ଏହି ରିଆକ୍ଟରର ନାଁ ବ୍ରିଡର ରଖାଯାଇଛି।

Share