Categories: ଖେଳ

ଇଂଲଣ୍ଡର ବୃହତ ବିଜୟ

ଦୋହା,୨୩।୧୧: କାତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ ୨୦୨୨ର ଦ୍ୱିତୀୟ ମ୍ୟାଚରେ ବୃହତ ବିଜୟ ହାସଲ କରିଛି ଇଂଲଣ୍ଡ। ଓ୍ବିଙ୍ଗର ବୁକାୟୋ ସାକାଙ୍କ ଡବଲ ଗୋଲ ବଳରେ ୬-୨ରେ ଇରାନକୁ ପରାସ୍ତ କରିଥିଲା ଇଂଲଣ୍ଡ। ଖଲିଫା ଷ୍ଟାଡିୟମରେ ଆତସବାଜି ପ୍ରଦର୍ଶନ ପରେ ମ୍ୟାଚ ଆରମ୍ଭ ହୋଇଥିଲା। ଇଂଲଣ୍ଡ ୪-୨-୩-୧ ଓ ଇରାନ ୫-୪-୧ କମ୍ବିନେଶନରେ ପଡିଆକୁ ଓହ୍ଲାଇଥିଲେ। ମ୍ୟାଚ ଆରମ୍ଭରୁ ବିଶ୍ୱ ମାନ୍ୟତାରେ ୫ମ ସ୍ଥାନରେ ଥିବା ଇଂଲଣ୍ଡ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ପ୍ରଥମାର୍ଦ୍ଧର ୩୬ ମିନିଟ ଯାଏ ଉଭୟ ଦଳ ଗୋଲ ସ୍କୋର କରିବାରେ ଅସମର୍ଥ ହୋଇଥିଲେ। ମ୍ୟାଚର ୩୬ ତମ ମିନିଟରେ ଇଂଲଣ୍ଡ ପକ୍ଷରୁ ଜୁଡ ବେଲିଂହାମ ପ୍ରଥମ ଗୋଲ ସ୍କୋର କରିଥିଲେ। ଲୁକ୍‌ ଶଙ୍କ ପାଶକୁ ହେଡର କରିଥିଲେ ବେଲିଂହାମ୍‌। ୪୩ ତମ ମିନିଟରେ ଓ୍ବିଙ୍ଗର ସାକା ନିଜର ପ୍ରଥମ ଗୋଲ ସ୍କୋର କରିବା ସହିତ ଇଂଲଣ୍ଡକୁ ୨-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ହେବା ବେଳକୁ ଫରଓ୍ବାର୍ଡ ରହିମ ଷ୍ଟର୍ଲିଂ ଆଉ ଏକ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଇଂଲଣ୍ଡ ୩-୦ରେ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧ ପରେ ଉଭୟ ଦଳ ପକ୍ଷରୁ ଆକ୍ରମଣ ଜୋରଦାର କରାଯାଇଥିଲା। ମାତ୍ର ଇଂଲଣ୍ଡ ଦଳ ମ୍ୟାଚର ୭୯ ପ୍ରତିଶତ ସମୟ ବଲକୁ ନିୟନ୍ତ୍ରଣରେ ରଖିଥିଲେ। ୬୨ ମିନିଟରେ ସାକା ବ୍ୟକ୍ତିଗତ ଦ୍ୱିତୀୟ ଓ ଇଂଲଣ୍ଡ ପକ୍ଷରୁ ଚତୁର୍ଥ ଗୋଲ ସ୍କୋର କରିଥିଲେ। ଏହାର ୩ ମିନିଟ ପରେ ଇରାନ ପକ୍ଷରୁ ଫରଓ୍ବାର୍ଡ ଖେଳାଳି ମେହଦୀ ଟାରେମୀ ପ୍ରଥମ ଗୋଲ ପରିଶୋଧ କରିଥିଲେ। ୭୧ ତମ ମିନିଟରେ ମାର୍କସ ରାସଫୋର୍ଡ ଓ ୮୯ ତମ ମିନିଟରେ ଜ୍ୟାକ୍‌ ଗ୍ରୀଲିସ୍‌ ଗୋଟିଏ ଲେଖାଏ ଗୋଲ ସ୍କୋର କରିବାରୁ ଇଂଲଣ୍ଡ ୬-୧ରେ ଆଗୁଆ ରହିଥିଲା। ମାତ୍ର ମ୍ୟାଚ ଇଞ୍ଜୁରୀ ଟାଇମରେ ରହିଥିବା ବେଳେ ଇରାନ ପକ୍ଷରୁ ତଥା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମେହଦୀ ଟାରେମୀ। ବକ୍ସ ମଧ୍ୟରେ ସାର୍ଟ ଟଣାଯାଇଥିବା ବେଳେ ଇରାନକୁ ଏକ ପେନାଲ୍ଟି ମିଳିଥିଲା। ଟାରେମୀ ଏହାକୁ ଗୋଲରେ ପରିଣତ କରିଥିଲେ ହେଁ ଇଂଲଣ୍ଡ ବୃହତ ବିଜୟ ହାସଲ କରିଥିଲା।

Share