ଭୁବନେଶ୍ୱର, ୧୬ା୯(ବିଜୟ ରଣା): କର୍ନାଟକର ବେଲ୍ଗାଁଓଠାରେ ଅନୁଷ୍ଠିତ ଜାତୀୟ ସବ୍ ଜୁନିୟର ବାଳିକା ଫୁଟ୍ବଲ ୨୦୨୩-୨୪ (ଟିଅର୍-୨ ଗ୍ରୁପ୍ ପର୍ଯ୍ୟାୟ)ର ଏକ ମ୍ୟାଚରେ ଓଡ଼ିଶା ୮-୦ ଗୋଲ୍ରେ ଚଣ୍ଡିଗଡ଼କୁ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି। ଦଳ ପକ୍ଷରୁ ରୀତୁ ବଡେକ୍ (୯ମ, ୨୫ତମ, ୩୫+୧ତମ, ୬୨ତମ ମିନିଟ) ବ୍ୟକ୍ତିଗତ ୪ଟି ଗୋଲ୍ ସ୍କୋର କରିଥିବା ବେଳେ ଅଧିନାୟକ ଆଞ୍ଚଳ ସିଂ ୧୧ଶ, ୫୧ତମ ଓ ୬୦ତମ ମିନିଟରେ ତିନୋଟି ଗୋଲ୍ ଦେଇଥିଲେ। ବନ୍ଦନା ନାୟକ ୨୮ତମ ମିନିଟ୍ରେ ଗୋଟିଏ ଗୋଲ୍ ଦେଇଥିଲେ। ଓଡ଼ିଶା ଦଳର ଏହି ପ୍ରଦର୍ଶନକୁ ନେଇ ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟଗଣ ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚଗୁଡ଼ିକ ଲାଗି ଶୁଭକାମନା ଜଣାଇଛନ୍ତି।