ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡ଼ାରୁ ଡାକ୍ତରଙ୍କ ଅବହେଳାର ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡାକ୍ତରଖାନାରେ ବାମ ଆଖିର ଚିକିତ୍ସା କରାଇବାକୁ ଆସିଥିବା ୭ ବର୍ଷୀୟ ନାବାଳକଙ୍କୁ ଚେତାଶୂନ୍ୟ କରି ତାଙ୍କ ଡାହାଣ ଆଖି ଅପରେଶନ କରି ଦିଆଯାଇଛି। କେବଳ ଏତିକି ନୁହେଁ ଅପରେଶନ ଲାଗି ପରିବାରଲୋକଙ୍କଠାରୁ ୪୫ ହଜାର ଟଙ୍କା ଆଦାୟ କରାଯାଇଛି।
ପିଲାଟି ଡିସଚାର୍ଜ ହୋଇ ଘରକୁ ଯିବା ପରେ ଏହା ଜଣାପଡ଼ିଥିଲା। ପରିବାରଲୋକେ ପ୍ରଥମେ ଡାକ୍ତରଖାନାରେ ପହଞ୍ଚି ହଙ୍ଗାମା କରିଥିଲେ। ଏହାପରେ ସିଏମ୍ଓ ଅଫିସ ପହଞ୍ଚି ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।