ଲୁଙ୍ଗି-ନାଇଟି ପିନ୍ଧି ବାହାରେ ନ ବୁଲିବାକୁ ମନା କଲେ ଗ୍ରେଟର ନୋଏଡା ସୋସାଇଟି, ସୋସିଆଲ ମିଡ଼ିଆରେ ଭାଇରାଲ…

ଗ୍ରେଟର ନୋଏଡା,୧୪।୬ : ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ହିମସାଗର ଆପାର୍ଟମେଣ୍ଟ ସୋସାଇଟିର ଏକ ନିର୍ଦ୍ଦେଶ ଏବେ ଚର୍ଚ୍ଚାରେ ରହିଛି। ସୋସାଇଟିର ଏକ ବିଜ୍ଞପ୍ତି ହେଡଲାଇନରେ ରହିଛି। ଲୋକମାନଙ୍କୁ ଲୁଙ୍ଗି ଏବଂ ନାଇଟି ପିନ୍ଧି ବାହାରେ ବୁଲିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଗ୍ରେଟର ନୋଏଡାର ଫାଇ ୨ ପିକେଟ ୪ ହିମସାଗର ଆପାର୍ଟମେଣ୍ଟ ଏହି ନିର୍ଦ୍ଦେଶ ଜାରି କରିଛି। ତେବେ ଏହି ଆଦେଶକୁ ବିରୋଧ କରାଯାଉଛି। ସୋସାଇଟିର ନିର୍ଦ୍ଦେଶ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବର୍ଡର ରୋଡ ସଂଗଠନର ଅବସରପ୍ରାପ୍ତ ଏବଂ ସେବା କରୁଥିବା ବ୍ୟକ୍ତିମାନେ ଏହି ସୋସାଇଟିରେ ରୁହନ୍ତି। ଆରଡବ୍ଲୁଏ ଅଧିକାରୀଙ୍କ ତରଫରୁ କୁହାଯାଇଛି ବାହାରେ ବୁଲିବା ସମୟରେ ସମସ୍ତେ ସେମାନଙ୍କ ଆଚରଣ ଏବଂ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଲୁଙ୍ଗି ଏବଂ ନାଇଟି ପିନ୍ଧି ବାହାରେ ନ ବୁଲିବାକୁ ଅନୁରୋଧ କରାଯାଛି। ଯାହା ଘରର ପୋଷାକ ଅଟେ। ସୋସାଇଟିର ଅଫିସ ଧାରକମାନେ ଏହା ମଧ୍ୟ କହିଛନ୍ତି ମହିଳାମାନଙ୍କ ଠାରୁ କ୍ରମାଗତ ଅଭିଯୋଗ ଆସୁଥିଲା। ଏହା ପରେ ଏହି ପଦକ୍ଷେପ ନିଆଯାଇଛି।

ସୋସାଇଟିର ଆରଡବ୍ଲୁ ସଭାପତି ପି.କେ କଲରା କହିଛନ୍ତି ଅଭିଯୋଗ ଆସୁଥିଲା ଲୋକମାନେ ଘର ଭିତରେ ପିନ୍ଧୁଥିବା ପୋଷାକରେ ବାହାରେ ବୁଲିବା ଆରମ୍ଭ କରୁଛନ୍ତି। ଏହା ଏକ ଭୁଲ ପରିବେଶ ସୃଷ୍ଟି କରିଥିଲା। ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି। ଏହା ଲୋକମାନଙ୍କ ଉପରେ ବାଧ୍ୟତାମୂଳକ ଭାବେ ଲାଗୁ ହୋଇନାହିଁ।
ଗ୍ରେଟର ନୋଏଡାର ହିମସାଗର ଆପାର୍ଟମେଣ୍ଟରେ ପ୍ରାୟ ୩୦୦୦ ପରିବାର ବାସ କରନ୍ତି। ସୋସାଇଟିର ଏଓଏ ମଙ୍ଗଳବାର ଏକ ଚିଠି ଜାରି କରିଛନ୍ତି। ଯେଉଁଥିରେ ଲେଖା ହୋଇଛି ଏହା ସମସ୍ତଙ୍କଠାରୁ ଆଶା କରାଯାଉଛି ଯଦି ଆପଣ ବାହାରେ ବୁଲୁଛନ୍ତି, ତେବେ ଆପଣଙ୍କର ଆଚରଣ ଏବଂ ପୋଷାକର ବିଶେଷ ଯତ୍ନ ନିଅନ୍ତୁ, ଯାହାଫଳରେ କେହି କିଛି ଆପତ୍ତି କରିବାର ସୁଯୋଗ ପାଇବେ ନାହିଁ ।

Share