Categories: ଜାତୀୟ

ସର୍ମ୍ପକୀୟଙ୍କୁ ନିର୍ଧୁମ ଛେଚିଲେ ଦମ୍ପତି

ନୋଏଡା,୨୯।୩: ଜଣେ ଦିବ୍ୟାଙ୍ଗ ସର୍ମ୍ପକୀୟଙ୍କୁ ରାସ୍ତା ମଝିରେ ଅତି ନୃଶୁଂସ ଭାବେ ନିର୍ଧୁମ ମାଡ଼ ଛେଚିଲେ ଦମ୍ପତି। ଉକ୍ତ ମାଡ଼ମରାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ଉକ୍ତ ଦମ୍ପତିଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଦିଆଯାଇଛି। ତେବେ ଏହି ଅମାନବୀୟ ଘଟଣା ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗ୍ରେଟର ନୋଏଡାରେ ରହୁଥିବା ଜୁଗେନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜ ସ୍କୁଲର ପରିଚାଳନା ଦିବ୍ୟାଙ୍ଗ ଗଜେନ୍ଦ୍ରଙ୍କ ହାତରେ ଦେଇଥିଲେ। କିନ୍ତୁ ଗତ ୨ବର୍ଷରୁ କରୋନା ମହାମାରୀ ଲକ୍‌ଡାଉନ ଯୋଗୁ ଉକ୍ତ ସ୍କୁଲ ବନ୍ଦ ରହିଥିଲେ। ତେଣୁ ଜୁଗେନ୍ଦ୍ର ଏହି ସ୍କୁଲକୁ ଭଡ଼ାରେ ଦେଇ ଦେଇଥିଲେ। ଏହାକୁ ନେଇ ମାର୍ଚ୍ଚ ୨୭ରେ ଗଜେନ୍ଦ୍ର ଓ ଜୁଗେନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଝଗଡ଼ା ଏତେ ଦୂର ବଢ଼ିଯାଇଥିଲା ଯେ କଥା ମାରପିଟ ପର୍ଯ୍ୟନ୍ତ ପଳାଇଥିଲା। ଜୁଗେନ୍ଦ୍ର ତାଙ୍କ ପତ୍ନୀ ଦିବ୍ୟାଙ୍ଗ ଗଜେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଗାଡ଼ିଥକୁ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏନେଇ ଗଜେନ୍ଦ୍ର ତେହରିର ଥାନାରେ ଜୁଗେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେବେ ମାମଲାକୁ ଆଧାର କରି ଉକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇଦେଇଛି। ଖୁବ୍‌ଶୀଘ୍ର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଆଡିସନାଲ ଡିସିପି ବିଶାଲ ପାଣ୍ଡେ ସୂଚନା ଦେଇଛନ୍ତି। ଅନ୍ୟପଟେ ଦିବ୍ୟାଙ୍ଗଙ୍କ ସହ ହୋଇଥିବା ମାରପିଟ୍‌ ଘଟଣାର ଭିଡିଓ ଭାଇରାଲ ହେବା ପରେ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିି ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘୃଣାର ଏହି ସମୟରେ ଆମେ କେଉଁ ସ୍ଥାନରେ ରହିଛୁ ତାହା ପୁନଃ ବିଚାର କରିବାର ଆବଶ୍ୟକତା ରହିଛି। ଏହି ଚିତ୍ର ମାନବିକତାକୁ ଲଜ୍ଜିତ କରିଦେବା ଭଳି ଦୃଶ୍ୟ ବୋଲି ଶ୍ରୀନିବାସ ବିଭି କହିଛନ୍ତି।

Share