ଧନୀ ଦେଶଙ୍କ ଲୋଭ,ଗରିବ ବଞ୍ଚିତ

ଜେନେଭା,୧୪।୭: ବିଶ୍ୱର ଧନୀ ରାଷ୍ଟ୍ରଗୁଡ଼ିକର କରୋନା ଭାକ୍ସିନ ଲୋଭ ବଢ଼ିବାରେ ଲାଗିଛି। ଅନେକ ଧନୀ ଦେଶ ନିଜ ନାଗରିକମାନଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା ପରେ ବୁଷ୍ଟର ଡୋଜ୍‌ ବା ଅତିରିକ୍ତ ଖୋରାକ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏଥିଯୋଗୁ କେତେକ ଗରିବ ଦେଶରେ ଟିକା ସଙ୍କଟ ସୃଷ୍ଟି ହୋଇଛି। ଏ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ, ଜାଣିଶୁଣି ଦୁର୍ବଳ ଦେଶଗୁଡ଼ିକୁ ମହାମାରୀ ସହ ଯୁଝିବାକୁ ଛାଡ଼ିଦେଇଥିବା ବିଶ୍ୱ ଆଗାମୀ ଦିନରେ ଲଜ୍ଜିତ ହେବ। ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥା ଡବ୍ଲ୍ୟୁଏଚ୍‌ଓ ସେହି ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ମଧ୍ୟ ଭର୍ତ୍ସନା କରିଛି, ଯେଉଁମାନେ ବିଶ୍ୱର ବିଭିନ୍ନ ଦେଶକୁ କରୋନା ଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଦେବା ପରିବର୍ତ୍ତେ ବୁଷ୍ଟର ଡୋଜ୍‌ ତିଆରି କରିବାରେ ଲାଗିଛନ୍ତି। ଅଧିକାଂଶ ଗରିବ ଦେଶରେ ଅଦ୍ୟାବଧି ସାଧାରଣ ଲୋକଙ୍କ କଥା କିଏ ପଚାରେ, ସ୍ବାସ୍ଥ୍ୟକର୍ମୀ ଓ ବୟସ୍କମାନଙ୍କୁ ମଧ୍ୟ ଟିକା ଦିଆଯାଇପାରିନାହିଁ। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମହାମାରୀ କେବେ ଶେଷ ହେବ ବୋଲି ପ୍ରଶ୍ନ କରାଯାଉଛି। ଆମେ ଏହାକୁ ଶୀଘ୍ର ଶେଷ କରିପାରିବା। କାରଣ ଆମ ପାଖରେ ଅସ୍ତ୍ର ଅଛି। ତେବେ ଏହାକୁ ନେଇ ବିଶ୍ୱ ସ୍ତରରେ ନିର୍ଣ୍ଣାୟକ ନେତୃତ୍ୱ ଦେଖିବାକୁ ମିଳୁନାହିଁ। ଭାକ୍ସିନକୁ ନେଇ ଜାତୀୟତାବାଦ ଅର୍ଥାତ୍‌ କେବଳ ନିଜ ସମ୍ପର୍କରେ ଚିନ୍ତା କରାଯାଉଥିବାରୁ ମହାମାରୀ ବଢ଼ିବାରେ ଲାଗିଛି।

Share