ଗ୍ରୀନ୍‌ ବିଜ୍‌ନେସ

ଜୋହାନ ରକ୍‌ଷ୍ଟ୍ରୋମ୍‌            ଟୋବିୟାସ୍‌ ରାଫେଲ

 

ଚଳିତ ବର୍ଷ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୬) ବିଫଳ ନ ହେଲେ ବି ଅଧିକ ସଫଳ ହେବ ବୋଲି ଯାହା ଆଶା କରାଯାଉଥିଲା ତାହା ହୋଇପାରିଲା ନାହିଁ। ଜଳବାୟୁ ପରିବର୍ତ୍ତନକୁ ରୋକିବା ଲାଗି ସେଠାରେ ବିଶ୍ୱ ନେତାଗଣ କିଛି ନୂଆ ବୁଝାମଣା କରିଛନ୍ତି ସତ, ହେଲେ ବିଶ୍ୱ ସ୍ତରରେ ସବୁଜଗୃହ ବାଷ୍ପ ନିର୍ଗମନ ଯେଭଳି ହ୍ରାସ ହେବା କଥା ତାହା ଏଯାବତ ହୋଇପାରିନାହିଁ। କେତେକ ଦେଶର ଜଳବାୟୁ ସଂକଳ୍ପ ମଜଭୁତ ହୋଇଥିବାବେଳେ ଲକ୍ଷ୍ୟ ହାସଲରେ ପଦକ୍ଷେପର ଅଭାବ ରହିଛି। କିନ୍ତୁ କପ୍‌୨୬ ସମ୍ମିଳନୀ ଦ୍ୱାରା ସେମାନଙ୍କ ଲକ୍ଷ୍ୟ ହାସଲର ସଂକଳ୍ପ ଦୃଢ ହୋଇଛି। ତଥାପି ଆମେ ଏଥିରେ ଏକ ବୃହତ୍‌ ନୀତିଗତ ଅନ୍ତର ଦେଖିବାକୁ ପାଉଛୁ। ଜଳବାୟୁ ବିଜ୍ଞାନ ସ୍ପଷ୍ଟ କରିଛି,ଆଗାମୀ ଦିନର ସମୃଦ୍ଧି ଓ ସମାନତା ସକାରାମତ୍କ ପ୍ରକୃତି, ଶୂନ-କାର୍ବନ ବୈଶ୍ୱିକ ଅର୍ଥନୀତି ଦ୍ୱାରା ସମ୍ଭବ ହୋଇପାରିବ। ଚଳିତ ବର୍ଷରେ ପାଣିପାଗ ସମ୍ପର୍କିତ ଘଟଣାଗୁଡ଼ିକର ତୀବ୍ରତା, ଇଣ୍ଟର ଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜେସ୍‌ (ଆଇପିସିସି)ର ଷଷ୍ଠ ଆକଳନ ରିପୋର୍ଟରେ ପ୍ରଦତ୍ତ ବିଜ୍ଞାନ ଆଧାରିତ ବାର୍ତ୍ତାରୁ ଜଳବାୟୁ ପରିବର୍ତ୍ତନର ଭୟାବହତା ସ୍ପଷ୍ଟ ହୋଇଛି। ବିଶ୍ୱ ଜୈବବିବିଧତା ଏବଂ ପ୍ରକୃତି ଅତ୍ୟଧିକ ସଙ୍କଟର ସାମ୍‌ନା କରୁଛି। ୨୦୫୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ସ୍ଥିତି ହାସଲ କରିବା ଲାଗି ଆମକୁ ୨୦୩୦ ପୂର୍ବରୁ ନିର୍ଗମନର ଉଲ୍ଲେଖନୀୟ ହ୍ରାସ କରିବାକୁ ପଡ଼ିବ। ହେଲେ ଅନେକ ନୀତି ନିର୍ଦ୍ଧାରକ ଗୋଡଟଣା ନୀତିରେ ମାତିଛନ୍ତି। ଜଳବାୟୁ କାର୍ଯ୍ୟକଳାପ ବିଜ୍‌ନେସ ଉପରେ ବୋଝ ହେବ ବୋଲି ସ୍ବର ଉତ୍ତୋଳନ କରୁଛନ୍ତି , ଯାହା ବାସ୍ତବିକ ଚିନ୍ତାଜନକ। କିନ୍ତୁ ବହୁ ବିଜ୍‌ନେସ ଲିଡର୍‌ ସେମାନଙ୍କ କମ୍ପାନୀଗୁଡ଼ିକୁ ଅନେକ ଦିନରୁ ପରିବେଶ ଉପଯୋଗୀ ଧାରାରେ ଆଗକୁ ନେବାରେ ଲାଗିଛନ୍ତି ଓ ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି। ବିଜ୍‌ନେସ ଲିଡର୍‌ମାନଙ୍କ ମଧ୍ୟରୁ ଅଧିକାଂଶ ବିନା ଦ୍ୱିଧାରେ ଜଳବାୟୁ ବିଜ୍ଞାନ ନିର୍ଯାସକୁ ଗ୍ରହଣ କରିଛନ୍ତି। ଏହି ବ୍ୟାପକ ଧାରା ଗ୍ଲାସ୍‌ଗୋର କପ୍‌୨୬ ସମ୍ମିଳନୀରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏଥିରେ ବିଶ୍ୱର ବୃହତ୍ତମ କର୍ପୋରେଶନଗୁଡ଼ିକର ବରିଷ୍ଠ ଏକ୍‌ଜିକ୍ୟୁଟିଭ୍‌ମାନେ ଯୋଗ ଦେଇଥିଲେ।
କପ୍‌୨୬ ସମୟରେ ଆମେ ୨୦ରୁ ଊର୍ଦ୍ଧ୍ୱ ଜର୍ମାନୀ କମ୍ପାନୀର ବିଜ୍‌ନେସ ଲିଡର୍‌ମାନଙ୍କ ସାକ୍ଷାତ୍‌କାର ନେଇଥିଲୁ ଓ ସେମାନଙ୍କ ପରିବେଶ ଉପଯୋଗୀ ତଥା ସ୍ଥାୟୀ ରଣନୀତି ସମ୍ପର୍କରେ ଅନୁଧ୍ୟାନ କରିଥିଲୁ। ୧୦ ଜଣ ଜର୍ମାନୀ ସିଇଓଙ୍କ ମଧ୍ୟରୁ ୯ ଜଣ ଆଗାମୀ ୫ ବର୍ଷରେ ଡିଜିଟାଲାଇଜେଶନଠାରୁ ପରିବେଶ ଉପଯୋଗୀ କାର୍ଯ୍ୟକଳାପ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଜାଣିବାକୁ ପାଇଥିଲୁ। ଏହା ଏକ ବଡ଼ ପରିବର୍ତ୍ତନକୁ ସୂଚାଉଛି। ଅନୁଧ୍ୟାନରେ ଭାଗ ନେଇଥିବା ଅଧିକାଂଶ କମ୍ପାନୀ ୨୦୩୫ ସୁଦ୍ଧା ବା ତା’ପୂର୍ବରୁ ଶୂନ କାର୍ବନ ନିର୍ଗମନ ସ୍ତର ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଶ୍ୱରେ ବିଜ୍‌ନେସ ଚେନ୍‌ରେ ଏହା କରିବା ପାଇଁ ସ୍ଥିର କରିଛନ୍ତି। ସେମାନଙ୍କ ଲକ୍ଷ୍ୟରେ ପହଞ୍ଚିିବା ଲାଗି ଆହୁରି କିଛି କାର୍ଯ୍ୟ କରିବାକୁ ବାକି ରହିଛି ବୋଲିି ଅଧିକାଂଶ ଲିଡର ସ୍ବୀକାର କରିଛନ୍ତି। ନିଃସନ୍ଦେହ ଯେ, ପରିବେଶ ଉପଯୋଗୀ ସ୍ଥାୟୀ ବିକାଶ ସିଇଓଙ୍କ କାର୍ଯ୍ୟସୂଚୀର ଶୀର୍ଷରେ ରହିଛି। ଜର୍ମାନୀ ବିଜ୍‌ନେସରେ ଏକ ନୂଆ ବିଷୟ ସାମ୍‌ନାକୁ ଆସିଥିବା ସର୍ଭେରୁ ଜଣାପଡ଼ିଛି। କମ୍ପାନୀଗୁଡ଼ିକ ବିଜନେସ୍‌ ସଞ୍ଚାଳନ ଲାଇସେନ୍ସ ଜାରି ରଖିବା ପାଇଁ ଏକ ପରିବେଶ ଉପଯୋଗୀ ସ୍ଥାୟୀ ରଣନୀତି ଆପଣାଇବା ସକାଶେ ବିଚାର କରୁଛନ୍ତି। ପରିବେଶ ଉପଯୋଗୀ ନିରନ୍ତର ବିକାଶରେ ବିଜ୍‌ନେସ୍‌ ସୁଯୋଗ ରହିଛି ବୋଲି ବହୁ କମ୍ପାନୀ ଅନୁଭବ କରୁଛନ୍ତି ଏବଂ ଅଧିକ ସିଇଓ ବ୍ୟକ୍ତିଗତ ସ୍ତରରେ ଏହାର ଦାୟିତ୍ୱ ନେଇଛନ୍ତି।
ଉଚ୍ଚ ଶିଳ୍ପଭିତ୍ତିକ ଅର୍ଥ ବ୍ୟବସ୍ଥା ସମ୍ପନ୍ନ ରାଷ୍ଟ୍ର ଜର୍ମାନୀ ତା ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଧିମା ନ କରି କାର୍ବନ ନିର୍ଗମନ କମାଇବା ପ୍ରକ୍ରିୟାରେ ଆଗୁଆ ହେବାକୁ ଚାହୁଁଛି। ଜର୍ମାନୀ ସିଇଓଙ୍କ ଦୃଷ୍ଟିକୋଣରେ, ପ୍ରଗତି କେବଳ ଗ୍ରୀନ୍‌ ଟେକ୍‌ନୋଲୋଜି ଅଭାବରୁ କି ପ୍ରମୁଖ ଅଂଶୀଦାରଙ୍କ ସମର୍ଥନ ବିନା ପଛାଉ ନାହିଁ, ବରଂ ଏହା ଅତ୍ୟଧିକ ବ୍ୟବସାୟିକ ଖର୍ଚ୍ଚ ବା କ୍ଷତି ଯୋଗୁ ହେଉଛି। ସର୍ଭେରେ ୬୦% କମ୍ପାନୀର ପରିବେଶ ଉପଯୋଗୀ ଏବଂ ଲାଭଦାୟକ ଉତ୍ପାଦ ଯୋଗାଇବାରେ ସମସ୍ୟା ଲାଗି ରହିଥିତ୍ବା ଜଣାପଡ଼ିଛି। ତଥାପି ଏବେ କାର୍ଯ୍ୟକାରୀ ଅନେକ ପରିବେଶ ଉପଯୋଗୀ ଯୋଜନାରୁ ସଫଳ ମିଳି ସାରିଲାଣି ଏବଂ ପରିବେଶ ଉପଯୋଗୀ ଉତ୍ପାଦ ଗୁଡ଼ିକର ବିକ୍ରିର ସୁଯୋଗ ବୃଦ୍ଧି ପାଇଲେ କ୍ଷତି ଧୀରେ ଧୀରେ ହ୍ରାସ ପାଇବ ବୋଲି ସିଇଓମାନେ ମତ ଦେଇଛନ୍ତି।
କମ୍ପାନୀଗୁଡ଼ିକର ସଞ୍ଚାଳନ ଧାରାର ପରିବର୍ତ୍ତନ କରିବାକୁ ତିନି ପ୍ରକାର କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଥମତଃ, ସେମାନଙ୍କୁ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଉପଯୋଗ ବା ନଷ୍ଟ ପ୍ରକ୍ରିୟା ବନ୍ଦ କରି କାର୍ବନ ନିର୍ଗମନ ଜନିତ ପ୍ରଭାବ କମାଇବାକୁ ହେବ। ଦ୍ୱିତୀୟରେ ଅନୁସୃତ ପଦ୍ଧତି ତଥା ବ୍ୟବସାୟିକ ରଣନୀତି ମାଧ୍ୟମରେ କଠିନତା ଦୂର କରି ଶତତ ବିକାଶ ଲକ୍ଷ୍ୟରେ ଯୋଗଦାନ କରିବାକୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ଗୁଣବତ୍ତା ବଢାଇବାକୁ ପଡ଼ିବ। ତୃତୀୟରେ ସମସ୍ତ ଅଂଶୀଦାରଙ୍କ ସହଯୋଗରେ କମ୍ପାନୀଗୁଡ଼ିକ ଅନ୍ୟମାନଙ୍କ ହୃଦୟ ଜିତିବା ଭଳି କାର୍ଯ୍ୟ କରିବା ଆବଶ୍ୟକ। ଉପଭୋକ୍ତା ଭାବେ ଆମ ବ୍ୟବହାର ବଦଳାଇ, ଭୋଟର ଭାବେ ସ୍ପଷ୍ଟ ନୀତିକୁ ସମର୍ଥନ କରି, ବୈଜ୍ଞାନିକ ଭାବେ ନୂଆ ଜ୍ଞାନ ସାମ୍‌ନାକୁ ଆଣି ଏବଂ ନୀତି ନିର୍ଦ୍ଧାରକ ଭାବେ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଓ ଢାଞ୍ଚା ଆରମ୍ଭ କରିବାରେ ଆମେ ସମସ୍ତେ ପ୍ରଭାବ ପକାଇପାରିବା।
ସର୍ଭେରେ ସାମିଲ ଜର୍ମାନୀ କମ୍ପାନୀଗୁଡ଼ିକ ମଧ୍ୟରୁ କେତେକ ଉତ୍ପାଦ ବିକାଶ କରିବା ପୂର୍ବରୁ ଜଳବାୟୁ ଉପରେ କ’ଣ ପ୍ରଭାବ ରହିଛି ତାହା ଆକଳନ କରିବାକୁ ଗ୍ରୀନ ଡିଜିଟାଲ ଟ୍ବିନ୍‌ ( ଉତ୍ପାଦର ବାସ୍ତବ ପ୍ରଭାବ ଆକଳନ କରିବାର ଏକ ଭର୍ଚୁଆଲ ମଡେଲ) ଉପଯୋଗ କରୁଛନ୍ତି। ଅନ୍ୟମାନେ ଉତ୍ପାଦର କାର୍ବନ ନିର୍ଗମନ ସମ୍ପର୍କରେ ଯୋଗାଣ କାରୀ ଓ ଉପଭୋକ୍ତାଙ୍କୁ ଜଣାଉଛନ୍ତି। ତେବେ ଆମକୁ ସବୁ କ୍ଷେତ୍ରରେ ଅନେକ ବିଜ୍‌ନେସ କର୍ପୋରେଟ ପରିବେଶ ଉପଯୋଗୀ ଯୋଜନା କରିବାକୁ ହେବ ଓ ତାହାକୁ ଅର୍ଥ ଯୋଗାଇ ଦେବାକୁ ପଡ଼ିବ। ଅନ୍ୟମାନେ କିଭଳି ଏଭଳି ରଣନୀତି ଆପଣାଇବେ ସେଥିତ୍ପାଇଁ ବହୁ ଜର୍ମାନୀ କମ୍ପାନୀ ପରିବେଶ ଉପଯୋଗୀ ଆମ୍ବାସାଡର ହେବାକୁ ସେମାନଙ୍କ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏକ ସୁରକ୍ଷିତ, ସ୍ବାସ୍ଥ୍ୟପ୍ରଦ, ପରିବେଶ ଉପଯୋଗୀ ବିଶ୍ୱ ସୃଷ୍ଟି କରିବା ଲାଗି ଏହି ମଡେଲଗୁଡ଼ିକ ଶୀଘ୍ର ସମ୍ପ୍ରସାରିତ ହେବା ଦରକାର। ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକରେ ସାମଞ୍ଜସ୍ୟ ନାହିଁ। ଫଳରେ ଏହା ଜଳବାୟୁ ଏବଂ ଜୈବମଣ୍ଡଳକୁ ଲାଭ ଦେବା ବଦଳରେ ଅଧିକ ପ୍ରଦୂଷିତ, ନଷ୍ଟ ଓ ଅସ୍ଥିର କରିଦେଉଛି। ଆମକୁ ବିଜ୍‌ନେସକୁ ନୂଆ ଢାଞ୍ଚା ଦେବା ଭଳି ଜଳବାୟୁ ବିଜ୍ଞାନ ଭିତ୍ତିକ ନୀତି ତୁରନ୍ତ ଗ୍ରହଣ କରିବାକୁ ହେବ। ହେଲେ କପ୍‌୨୬ରେ ଏହା ଉପରେ କିଛି ପ୍ରକାଶ ପାଇଲା ନାହିଁ କି ଆଗକୁ ହେବାର ସମ୍ଭାବନା ନାହିଁ। ଆମକୁ ୨୦୨୨ରେ ଜର୍ମାନୀରେ ହେବାକୁ ଥିବା ଜି୭ ସମ୍ମିଳନୀରେ ଅତିରିକ୍ତ କାର୍ଯ୍ୟପଦ୍ଧତି ଆରମ୍ଭ କରିବାକୁ ପଡ଼ିବ । ଏପରିକି ବିଜ୍ଞାନ ଆଧାରିତ ‘କ୍ଲାଇମେଟ୍‌ ଜି୩’ ଗଢିବାକୁ ପଡ଼ିପାରେ।
ଅଧିକରୁ ଅଧିକ କମ୍ପାନୀ ବିଜ୍ଞାନ ଆଧାରିତ ଲକ୍ଷ୍ୟ ଗ୍ରହଣ କରିବା ଦରକାର। ଏହା କାର୍ବନ ନିର୍ଗମନ ହ୍ରାସ କରିବା ସହ ସୀମିତ ସଂସାଧନର ସଂରକ୍ଷଣ କରିପାରିବ। ଆମ ସମ୍ମୁଖରେ ବହୁ ଆହ୍ବାନ ରହିଥିଲେ ବି ଅଧିତ୍କ ସୁଯୋଗ ରହିଛି। ସବୁ କ୍ଷେତ୍ରରେ ଓ ସବୁ ସ୍ତରରେ ଏବେଠାରୁ କାର୍ବନ ନିର୍ଗମନ କମାଇବା ପାଇଁ କାର୍ଯ୍ୟ ଆରମ୍ଭ କରିବା ଦରକାର। ଅନୁଧ୍ୟାନରୁ ଜଣାପଡ଼ିଛି, ସବୁ ବିଜ୍‌ନେସ ଲିଡର୍‌ ବିଜ୍ଞାନ ଉପରେ ସହମତ ହେଉଛନ୍ତି ଏବଂ ସେମାନଙ୍କ ସଞ୍ଚାଳନ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ସଭିଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ନିଶ୍ଚିତ କରିବାକୁ ଆବଶ୍ୟକ ଢାଞ୍ଚା ନୀତି ନିର୍ଦ୍ଧାରକମାନେ ଏବେ ଯୋଗାଇଦେବେ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠୁଛି।