ଭୁବନେଶ୍ୱର,୧୫।୧୧:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ ପକ୍ଷରୁ ସବୁଜ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଜିଲା ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜମାର୍ଗ ପାର୍ଶ୍ୱରେ ପ୍ରାଥମିକ ପର୍ଯ୍ୟାୟରେ ୧୦ କିମି ବ୍ୟାପୀ ଧାଡ଼ି ପ୍ରଣାଳୀରେ ବୃକ୍ଷରୋପଣ କରାଯାଇଛି। ଏପରିକି ଜିଲା ପ୍ରଶାସନ ସହଯୋଗରେ କମ୍ପାନୀ ରାସ୍ତାର ଉଭୟ ପାର୍ଶ୍ୱରେ ୩୨୦୦ ଚାରାରୋପଣ ପ୍ରଥମ ଦିନରେ କରିଥିଲା। ଉକ୍ତ ଅଭିଯାନରେ ବଡ଼ମାଳ-ପ୍ରସନ୍ନପଡ଼ା-ପଞ୍ଚପଡ଼ା ଛକରେ ଜାମୁ, ଅର୍ଜୁନ, ନିମ, ପେସ୍ତା ବାଦାମ ଓ ରାଧାଚୂଡ଼ା ପରି ଚାରାଗୁଡ଼ିକୁ ରୋପଣ କରାଯାଇଥିଲା। ସେହିଭଳି ବେଦାନ୍ତର ଝାରସୁଗୁଡ଼ା ୟୁନିଟ ପରିବେଶର ଉନ୍ନତି ପାଇଁ ବ୍ୟାପକ କାର୍ଯ୍ୟ କରୁଛି। କମ୍ପାନୀ ପକ୍ଷରୁ ଗ୍ରୀନ ହାର୍ଟସ ନାମରେ ଏକ ବାର୍ଷିକ ଜୈବ ବିକାଶ ଅଭିଯାନ ମଧ୍ୟ ପରିଚାଳନା କରାଯାଇଥାଏ। ଏ ସମ୍ପର୍କରେ ବେଦାନ୍ତ (ଝାରସୁଗୁଡ଼ା)ର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, ଜୈବ ନିବେଶ ଆମର ସ୍ଥିରତା ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଥିବାରୁ ଆମେ ଜିଲା ପ୍ରଶାସନର ସହଭାଗିତା ପାଇଥିବାରୁ ଗର୍ବିତ। ସେହିଭଳି ଝାରସୁଗୁଡ଼ାର ଜିଲା ମାଜିଷ୍ଟ୍ରେଟ ଓ କଲେକ୍ଟର ସରୋଜ କୁମାର ସାମଲ କହିଛନ୍ତି, ଆମର ରାଜପଥକୁ ସୁନ୍ଦର କରିବା ଦ୍ୱାରା ଆମ ଅଞ୍ଚଳର ଶୋଭା ବୃଦ୍ଧି ହୋଇପାରିବ। ଏହି ଅଭିଯାନ ସହ ଆସନ୍ତା ୩ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଲାଗି ଆମେ କମ୍ପାନୀକୁ ଧନ୍ୟବାଦ ଜଣାଉଛୁ।