Categories: ଦୀପାବଳି

ସବୁଜ ଦୀପାବଳି

ବୌଦିକ  କାଳରୁ ପାଳିତ ହେଉଥିବା ଦୀପାବଳି ଆମ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ଅନନ୍ୟ ପର୍ବ। କାର୍ତ୍ତିକ ମାସରେ ଏହା ପଡ଼ୁଥିବାରୁ ଲୋକଙ୍କ ପ୍ରାତଃସ୍ନାନ ସାଙ୍ଗକୁ ସାତ୍ତ୍ୱିକ ଆହାର, ଠାକୁର ଦର୍ଶନ, ଭଜନ, କୀର୍ତ୍ତନ ଇତ୍ୟାଦି ଧାର୍ମିକ ଭାବନାକୁ ଆହୁରି ସତେଜ କରେ । ଯେମିତି ଅମାବାସ୍ୟାର ଅନ୍ଧାରକୁ ଦୂର କରିବା ପାଇଁ ଦୀପର ଅଲୋକ ସହାୟକ ହୁଏ, ସେମିତି ଅଜ୍ଞାନ ରୂପକ ଅନ୍ଧାରରୁ ମୁକ୍ତି ଲାଗି ଜ୍ଞାନର ଅଲୋକବର୍ତ୍ତିକାରେ ଈଶ୍ୱରପ୍ରାପ୍ତି ରୂପକ ଶାନ୍ତି ଲାଭକରୁ । ପାର୍ବଣ ଋତୁର ଶେଷ ପର୍ଯ୍ୟାୟରେ ପାଳିତ ହେଉଥିବା ଦୀପାବଳି ଓ କାଳୀପୂଜାରେ ଅନେକ ପୌରାଣିକ ଘଟଣା ସଂଶ୍ଳିଷ୍ଟ। ଅପରପକ୍ଷରେ ବୈଜ୍ଞାନିକ ଦୃଷ୍ଟିକୋଣରୁ, ବର୍ଷର ଶେଷଭାଗରେ ଶିଶିର ଭିଜା ପରିବେଶ ସାଙ୍ଗକୁ ଶୀତଋତୁର ଆଗମନରେ ଅସଂଖ୍ୟ କୀଟ ପତଙ୍ଗ ବାୟୁମଣ୍ଡଳରେ ଘୂରିବୁଲନ୍ତି । ଦୀପାବଳିର ଆଲୋକସଜ୍ଜା ଓ ଆତସବାଜି ବିସ୍ଫୋରଣ ଜନିତ ବାରୁଦ ଗନ୍ଧରେ ସେମାନେ ମୃତ୍ୟୁବରଣ କରିଥାନ୍ତି, ଫଳରେ ବାୟୁମଣ୍ଡଳ କୀଟପତଙ୍ଗ ମୁକ୍ତହୋଇ ଏକ ନିର୍ମଳ ପରିବେଶ ସୃଷ୍ଟି କରିଥାଏ। ପରବର୍ତ୍ତୀ ସମୟରେ ଏହି ପର୍ବକୁ ଅଧିକ ଉତ୍ସବମୁଖର କରିବା ପାଇଁ ଆସତବାଜିର ବହୁଳ ବ୍ୟବହାର ପରିବେଶ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଉଛି ।
ଦୂଷିତ ବାୟୁମଣ୍ଡଳରେ ଦୀପାବଳି ପର୍ବର ବାଣ ପ୍ରଦୂଷଣ ରୋକିବାକୁ ପରିବେଶବିତମାନେ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି । ଫଳସ୍ବରୂପ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଲିକତା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଉପରେ ରୋକ ଲଗାଇ ବାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇ ପାରିବନି ବୋଲି ଆଦେଶ ନାମା ଜାରି କରିଛନ୍ତି । ଅତ୍ୟଧିକ ଧୂଆଁ ସୃଷ୍ଟି କରୁ ନ ଥିବା ବାଣ (ଗ୍ରୀନ୍‌କ୍ରାକର) କୁ ବ୍ୟବହାର ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଛି । ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ମଧ୍ୟ ଦୀପାବଳି ପାଳନ ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ତେଣୁ ଏଥର ଦୀପାବଳିରେ ଫୁଟିବ ଗ୍ରୀନ୍‌ କ୍ରାକର ବା ସବୁଜ ବାଣ । ତେବେ ବିଗତଦିନରେ ଦୀପାବଳିରେ ବାଣ ବିସ୍ପୋରଣରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବାର ନଜିର ଅଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୀପାବଳି ବନ୍ଧା ପଡ଼ିଛି ମହାମାରୀ କରୋନା କଟକଣାରେ ।
ଧର୍ମ ମାସର ଧାର୍ମିକ ପରିବେଶ ମନ୍ଦିର ବନ୍ଦ ଯୋଗୁ ମଳିନ ପଡ଼ିଯାଇଛି । ମନ୍ଦିର ବେଢ଼ାରେ ହବିଷିଆଳି ମାନଙ୍କ ହୁଳହୁଳି ସାଙ୍ଗକୁ ରାଇଦାମୋଦର ପୂଜା ଆଉ ଦେଖିବାକୁ ମିଳୁନି। ବର୍ତ୍ତମାନର ପରିସ୍ଥିତିକୁ ତର୍ଜମାକରି ଆଗାମୀ ଦିନରେ ଅନେକ ସମସ୍ୟାକୁ ସାମ୍ନା କରିବା ସହିତ ଆନନ୍ଦ ଉପଲବ୍ଧି କରିବା ପାଇଁ ମନକୁ ସବୁଜ କରିବା ନିତାନ୍ତ ଆବଶ୍ୟକ। ଚାଲନ୍ତୁ ସବୁଜ ଦୀପାବଳି ପାଳନ କରି ପରିବେଶ ସଜାଡ଼ିବାକୁ ଦୃଢ଼ ସଂକଳ୍ପ ନେବା ଓ ଆନନ୍ଦରେ ଜିଇଁବା।
-ଡ. ଅଜୟ କୁମାର ନନ୍ଦ
ବିଶ୍ୱନାଥ କୁଟିର, ନୀଳକଣ୍ଠପୁର, ପୁରୀ

Share