ବାଉଁଶ ଘାସ ପ୍ରଜାତି ମଧ୍ୟରେ ସବୁଠୁ ଉଚ୍ଚତମ ଓ ଶକ୍ତିଶାଳୀ। ଏହାର ଦ୍ରୁତବେଗରେ ବୃଦ୍ଧି ଘଟିଥାଏ। ଏହା ଦେଖିବାକୁ ଯେମିତି ସବୁଜ ସୁନ୍ଦର, ପ୍ରତ୍ୟେକ ଘରୋଇ ବ୍ୟବହାରରେ ବି ଏହା କାମରେ ଲାଗିଥାଏ। କେଉଁ ପୁରୁଣା ସମୟରୁ ଆଜିଯାଏ ଏହା ବିଭିନ୍ନ ଆବଶ୍ୟକତା ମେଣ୍ଟାଇବା ସହ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିଆସୁଛି। ପରିବେଶବିତ୍ ନନ୍ଦ ଭୁଜବଳ କୁହନ୍ତି, ଅନ୍ୟ ଗଛ ଯେତିକି ଅମ୍ଳଜାନ ଦେଇଥାଏ ଗୋଟିଏ ବାଉଁଶ ଗଛ ସେହି ତୁଳନାରେ ୩୫ ପ୍ରତିଶତ ଅଧିକ ଅମ୍ଳଜାନ ବାୟୁମଣ୍ଡଳକୁ ଛାଡ଼ିଥାଏ।
ଲୋକ ସଂସ୍କୃତି ଓ ଚଳଣିରେ ବାଉଁଶ : ସୃଷ୍ଟିର ଆବହମାନ କାଳରୁ ବାଉଁଶ ରହିଛି। ଗ୍ରାମ୍ୟ ସଂସ୍କୃତିରେ ବାଉଁଶକୁ ନେଇ ବିଭିନ୍ନ କଥା ରହିଛି। ବାଉଁଶ ଏକ ତୃଣଜାତୀୟ ଉଦ୍ଭିଦ। ନାନା ପ୍ରତିକୂଳ ପରିସ୍ଥିତିରେ ବି ଏହା ନିଜର ଅସ୍ତିତ୍ୱ ବଜାୟ ରଖିପାରେ। ଫେଙ୍ଗ୍ସୁଇ ମତରେ ଏହା ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ସୁସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନର ସଂକେତ ଦେଇଥାଏ। ଝିଅ ବାହାଘର ବେଳେ ବିଭିନ୍ନ ସାଜସଜ୍ଜା ମଧ୍ୟରେ ବାଉଁଶ ତିଆରି ସାମଗ୍ରୀ ପ୍ରଦାନ କରାଯାଇଥାଏ। ବାଉଁଶ ଯେପରି ବଂଶ ବିସ୍ତାର କରେ ସେଭଳି ଝିଅର ଶୁଭ ଦାମ୍ପତ୍ୟ ଜୀବନ ଦୀର୍ଘସ୍ଥାୟୀ ଓ ସୁଖମୟ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ପୁରାଣରୁ ଜଣାପଡ଼େ, ଶ୍ରୀକୃଷ୍ଣଙ୍କ ବଂଶୀର ସ୍ବର ରାଧାଙ୍କୁ ଅଧୀର କରିପକାଉଥିଲା। ପୁରାତନ ବାଦ୍ୟଯନ୍ତ୍ର ଭାବେ ବାଉଁଶ ବଂଶୀର ସ୍ଥାନ ସ୍ବତନ୍ତ୍ର। ଏହା ଆମ ସାମାଜିକ ଜୀବନରେ ସୁପ୍ରଭାବ ପକାଇଥାଏ। ମକର ସଂକ୍ରାନ୍ତି ଅବସରରେ ମତ୍ସ୍ୟଜୀବୀମାନେ ବାଉଁଶକଣିକୁ ଚିଲିକାପାଣିରେ ପୋତି ମା’ କାଳିଜାଈଙ୍କୁ ସ୍ମରଣ କରିଥାନ୍ତି। ଖୋର୍ଦ୍ଧା ଜିଲାର ବାଣପୁର ଅଞ୍ଚଳରେ ଦଶହରା ଅବସରରେ କାଠି ଠାକୁରାଣୀଙ୍କ ଯାତ୍ରା ହୋଇଥାଏ। ମା’ଙ୍କ ବିଜେ ପ୍ରତିମା ଗୋଟା ବାଉଁଶରେ ତିଆରି ହୋଇଥାଏ, ତାହାକୁ ଭକ୍ତମାନେ ଧରି ପଟୁଆରରେ ସାହି ଭ୍ରମଣ କରିଥାନ୍ତି। ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶାର ପୁରୀ ଜିଲା ଡେଲାଙ୍ଗ ନିକଟ ବେରବୋଇ ଗାଁରେ ଆଚାର୍ଯ୍ୟ ହରିହର ଏକ ବାଉଁଶ ବାଡ଼ି ପ୍ରଦାନ କରିଥିଲେ। ସେହିପରି ମହାନ୍ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ଦୁଇଖଣ୍ଡ ବାଉଁଶନଳୀ ସାହାଯ୍ୟରେ ଗ୍ରହ ନକ୍ଷତ୍ରର ଦୂରତାକୁ ଗଣନା କରିପାରୁଥିଲେ।
ବିଶ୍ୱ ବାଉଁଶ ଦିବସ: ୨୦୦୯ ସେପ୍ଟେମ୍ବର ୧୮ରୁ ବିଶ୍ୱ ବାଉଁଶ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ସେପ୍ଟେମ୍ବର ୧୮କୁ ବିଶ୍ୱ ବାଉଁଶ ଦିବସ କୁହାଯାଉଛି। ବାଉଁଶ ଜଙ୍ଗଲ ବୃଦ୍ଧି ତଥା ଏହାର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ହେଉଛି। ବାଉଁଶ ଚାଷ ପ୍ରତି ଆଗ୍ରହ ଓ ବାଉଁଶ ସାମଗ୍ରୀକୁ ଅଗ୍ରାଧିକାର ଦେବା ପାଇଁ ବିଶ୍ୱ ବାଉଁଶ ସଂଗଠନ ସାରା ବିଶ୍ୱରେ ପ୍ରୟାସ ଜାରି ରଖିଛି। ତଥ୍ୟ ଅନୁଯାୟୀ, ବାଉଁଶ ଉତ୍ପାଦନରେ ଚାଇନା ବିଶ୍ୱ ତାଲିକାରେ ପ୍ରଥମରେ ରହିଥିବା ବେଳେ ଏହା ତଳକୁ ଭାରତ ରହିଛି। ଭାରତରେ ବାଉଁଶ ଚାଷର ଉନ୍ନତି ପାଇଁ ବାମ୍ବୋ ମିଶନ କାର୍ଯ୍ୟ କରୁଛି। ଆମ ଦେଶରେ ବିଶେଷକରି ଉତ୍ତର ପୂର୍ବାଞ୍ଚଳ ଯଥା -ଓଡ଼ିଶା, ମହାରାଷ୍ଟ୍ର, କର୍ନାଟକ, ଉତ୍ତରାଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଗୁଜରାଟ, ତାମିଲନାଡୁ, କେରଳ, ଝାଡ଼ଖଣ୍ଡ, ଆସାମ ଆଦି ରାଜ୍ୟରେ ବହୁଳଭାବେ ବାଉଁଶ ଜଙ୍ଗଲ ଦେଖିବାକୁ ମିଳେ।
ବାଉଁଶର ଔଷଧୀୟ ଗୁଣ: ଆୟୁର୍ବେଦ ଅନୁସାରେ ବାଉଁଶର ଅନେକ ଔଷଧୀୟ ଗୁଣ ରହିଛି। ବାଉଁଶର ସ୍ବାସ୍ଥ୍ୟ ଉପଯୋଗୀ ଗୁଣ ସମ୍ପର୍କରେ ଡା. ତ୍ରୈଲୋକ୍ୟନାଥ ମହାରଣା କୁହନ୍ତି, ‘ବାଉଁଶର ପତ୍ର, କାଣ୍ଡ, ମୂଳ, ଗଣ୍ଠି, ଫଳ(ବାଉସୁନି ଧାନ), ଅଂକୁର(କରଡ଼ି), ନିର୍ଯାସ ବା ବଂଶଲୋଚନ ଆୟୁର୍ବେଦିକ ଔଷଧରେ ପ୍ରୟୋଗ କରାଯାଏ। ବାଉଁଶ ପତ୍ର ଗୁଣରେ କଟୁତିକ୍ତ, ଅମ୍ଳ ଓ ଶୀତଳ ଗୁଣକାରକ। ଏହାର ରସ ସେବନ କଲେ ମୂତ୍ର ପ୍ରବାହ ଠିକ୍ ରୂପେ ହୋଇଥାଏ। ଅର୍ଶ, ପିତ୍ତ ବିକାର, ଶରୀର ପୋଡାଜଳା ବା ଦାହ ରୋଗ, ବିଭିନ୍ନ ରକ୍ତ ବିକାର, ବ୍ରଣ, ରକ୍ତବାନ୍ତି ବନ୍ଦ ହୋଇଥାଏ। ବାଉଁଶ ଗଣ୍ଠି ଚୂର୍ଣ୍ଣ ଚାଉଳଧୁଆ ପାଣି ସହିତ ସେବନ କଲେ ଶ୍ୱେତପ୍ରଦର ଓ ବିଭିନ୍ନ ମାସିକ ଋତୁସ୍ରାବ ସମସ୍ୟା ଦୂର କରିଥାଏ। ବାଉଁଶ ମୂଳ ଓ ଚେର କ୍ୱାଥ୍ ମୂତ୍ରକାରକ ଓ ଶୋଥନାଶକ। ବାଉଁଶ କରଡ଼ି ଗୁଣରେ କଷାୟ, ମଧୁର, ରୁକ୍ଷ, ଗୁରୁପାକ, ଶୀତଳ, ରୁଚିକର ଓ କଫନାଶକ। ଏହାକୁ ଅନେକ ପ୍ରଦେଶରେ ବାଉଁଶ କର୍ପୂର କହିଥାନ୍ତି। ଏହା ମଧୁର, କଷାୟ, ତିକ୍ତ ଓ ଶୀତଳ ଗୁଣଯୁକ୍ତ। ଏହା ସମସ୍ତ ଆୟୁର୍ବେଦିକ ଔଷଧରେ ପ୍ରୟୋଗ କରାଯାଏ। ବିଭିନ୍ନ ଶ୍ବାସ ରୋଗ, କାଶ, ଶରୀର କ୍ଷୟ ରୋଗ, ରକ୍ତ ଦୂଷିତ ରୋଗ, ଜଣ୍ଡିସ୍, ରକ୍ତହୀନତା, ବ୍ରଣ, ପାଣ୍ଡୁ, ଶରୀର ପୋଡାଜଳାରେ ବାଉଁଶ ମହୌଷଧି ରୂପେ କାର୍ଯ୍ୟ କରିଥାଏ।
ଉପଯୋଗୀ ବାଉଁଶ : ସାଧାରଣତଃ ଘର ତିଆରି, ଫସଲ ସୁରକ୍ଷା ଆଦି ପାଇଁ ବାଉଁଶ ବ୍ୟବହାର କରାଯାଉଥିବାବେଳେ ଆଜିକାଲି ପୂଜା ପର୍ବରେ ସୁନ୍ଦର ତୋରଣ ସହ ଘର ସଜ୍ଜା ସାମଗ୍ରୀ ପାଇଁ ବି ବାଉଁଶର ବ୍ୟବହାର କରାଯାଉଛି। ବିଭିନ୍ନ ପ୍ରକାରର ବାଉଁଶ ରହିଛି। ଯଥା ଶାଳମ୍ବି, ସୁନ୍ଦରି ଓ କଣ୍ଟା ଆଦି। ଇଣ୍ଡୋନେସିଆ, ଫିଲିପାଇନ୍ସ ଭଳି ଦେଶରେ ରଙ୍ଗିନ ବାଉଁଶ ଦେଖାଯାଇଥାଏ। ସେଥିମଧ୍ୟରେ ଫିକା ବାଇଗଣୀର ଚାହିଦା ଅଧିକ। ମୃତ୍ତିକା ସଂରକ୍ଷଣରେ ବାଉଁଶ ବେଶ୍ ଉପଯୋଗୀ ହୋଇଥାଏ। ନଈକୂଳ, ପାହାଡ଼ ତଳ, ପୋଖରୀ ହୁଡାରେ ବିଭିନ୍ନ ଜାତିର ବାଉଁଶ ବିସ୍ତାରିତ ହୋଇ ବଢ଼ିଥାଏ। ଓଡ଼ିଶାର ମୟୂରଭଞ୍ଜର ଛଣପାଳ ଗାଁ, ରାଇରଙ୍ଗପୁର, କଳାହାଣ୍ଡିର କେସିଙ୍ଗା, ଗଞ୍ଜାମ, ପାରଳାଖେମୁଣ୍ଡି, ମାଲକାନଗିରି ସମେତ ବିଭିନ୍ନ ଜିଲାର କାରିଗରମାନେ ତାଲିମ ନେଇ ବାଉଁଶରେ ଉନ୍ନତମାନର କଳାକୃତି ତିଆରି କରିଥାନ୍ତି। ବାଉଁଶରେ ତିଆରି ପାରମ୍ପରିକ ସାମଗ୍ରୀ: ଏକ କୁଟୀରଶିଳ୍ପର ରାଜ୍ୟ ଓଡ଼ିଶାର ପୁରପଲ୍ଲୀରେ ଶିଳ୍ପୀମାନେ ବିଭିନ୍ନ ହସ୍ତଶିଳ୍ପ କାର୍ଯ୍ୟରେ ନାନା କଳାକୃତି ତିଆରି କରିଥାନ୍ତି। ତେବେ ବାଉଁଶରେ ତିଆରି ପାଛିଆ, ଝୁଡି, ଡାଲା, କୁଲା, ତଲେଇ, ଭୋଗେଇ, ଚିଡେଇ, ଗୁରୁଡି, ଡୋଲି,ଦୋଳି, ବିଛଣା, ପୋଳୁହ, ଲଞ୍ଜା, ଖାଳେଇ ଆଦି ଅନେକ ପ୍ରକାରର ପାରମ୍ପରିକ ସାମଗ୍ରୀ ତିଆରି ହୋଇଥାଏ। ଗ୍ରାମାଞ୍ଚଳର କେତେକ ନିର୍ଦ୍ଦିିଷ୍ଟ ଜାତିର କାରିଗର ଏହାକୁ କୌଳିକ ବୃତ୍ତି ଭାବେ ନେଇ କାର୍ଯ୍ୟ କରିଆସୁଛନ୍ତି। ସୋରଣ ଚିଲିକା ପେଣ୍ଠଠାରେ ବାଉଁଶରେ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରୁଥିବା ରବି ନାହାକ କୁହନ୍ତି, ଏହା ଆମର କୁଳବେଉସା। ଆମ ବାପା,ଗୋଷିବାପାଙ୍କ ଅମଳରୁ ଆମେ ପିଢ଼ି ପରେ ପିଢ଼ି ଏମିତି ବାଉଁଶକୁ ନେଇ ବିଭିନ୍ନ ପାରମ୍ପରିକ ସାମଗ୍ରୀ ତିଆରିକରି ସେଥିରୁ ରୋଜଗାର କରି ଚଳୁଛୁ।
ବାଉଁଶର ସୌଖୀନ ସାମଗ୍ରୀ : ଆଜିକାଲି ବାଉଁଶ ହସ୍ତଶିଳ୍ପର ଚାହିଦା ବଢୁଥିବାରୁ କେବଳ ପାରମ୍ପରିକ ବାଉଁଶ ସାମଗ୍ରୀ ପାଛିଆ, ଟୋକେଇରେ ଏହା ସୀମିତ ନ ରହି ଏବେ ବିଭିନ୍ନ ବର୍ଗର ଲୋକମାନେ ଘରର ସୌଖୀନ ସାଜସଜ୍ଜା ପାଇଁ ମନ ବଳାଇଛନ୍ତି। ଏବେ ଶିଳ୍ପୀମାନେ ବାଉଁଶରେ ବିଭିନ୍ନ ପଶୁପକ୍ଷୀଙ୍କ ଆକୃତି, କପ୍, ପ୍ଲେଟ, ବ୍ରଶ, ଗିନା, ପାଣି ବୋତଲ, ଚାମଚ, ଫୁଲକୁଣ୍ଡ, ବୁକ୍ ସେଲ୍ଫ, ପେନ୍ଷ୍ଟାଣ୍ଡ, ଫଟୋଚିତ୍ର ଷ୍ଟାଣ୍ଡ ଆଦି ସାମଗ୍ରୀ ତିଆରି କରାଯାଉଛି। ପୁଣି ଅନେକ ଫ୍ୟାଶନରେ ବାଉଁଶ ତିଆରି ଝୁମୁକା, ହାର, ହେୟାର କ୍ଲିପ, ବ୍ରୋଚ, ପିନ, ଚୁଡ଼ି, ପାଉଁଜି, କଙ୍କଣ ଆଦି ଅଳଙ୍କାର ତିଆରି କରିଥାନ୍ତି। ବାଉଁଶ ତିଆରି କଳାକୃତିଗୁଡ଼ିକ ଆମ ରାଜ୍ୟର ହସ୍ତକଳା କାରିଗରି ସମୃଦ୍ଧିରେ ସହାୟକ ହୋଇଥାଏ।
କାଗଜ ତିଆରିରେ ବାଉଁଶ : କାଗଜ ତିଆରି ପାଇଁ ନୀଳଗିରି, ଆକାଶିଆ, ଝାଉଁକାଠ ସହିତ ବାଉଁଶକୁ ମିଶାଇବାକୁ ପଡ଼ିଥାଏ। ବାଉଁଶରେ ଫାଇବର ଅଂଶ ଅଧିକ ଥିବାରୁ ପେପରର ମାନ ଭଲ ରହିଥାଏ। ରାଜ୍ୟର ନୟାଗଡ଼ ଜିଲାର ଦଶପଲ୍ଲା, ମାଲକାନଗିରି, ସମ୍ବଲପୁର, କୋରାପୁଟ ଆଦି ଜିଲାରୁ କେତେକ କାଗଜ ତିଆରି କାରଖାନାକୁ ବାଉଁଶ ପଠାଯାଇଥାଏ।
ବାଉଁଶନଳୀରେ ପୋଡ଼ା ଖାଦ୍ୟ: ପୂର୍ବେ ଲୋକମାନେ ବାଉଁଶ ନଳୀରେ ବିଭିନ୍ନ ଖାଦ୍ୟଦ୍ରବ୍ୟକୁ ପୂରାଇ ନିଆଁରେ ପୋଡ଼ି ଖାଉଥିଲେ। ସମୟକ୍ରମେ ଅନେକ ତାରକା ହୋଟେଲ ଓ ଢାବାରେ ମଧ୍ୟ କଞ୍ଚା ବାଉଁଶ ନଳୀରେ ମଟନ, ଚିକେନରେ ପାରମ୍ପରିକ ଦେଶୀ ମସଲା ପୂରାଇ ପୋଡ଼ି ସ୍ପତନ୍ତ୍ର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଗରାଖଙ୍କ ଚାହିଦା ଅନୁସାରେ ହୋଟେଲ ଓ ଢାବାମାନଙ୍କରେ ବାଉଁଶପୋଡ଼ା ଓ ପତ୍ରପୋଡ଼ା ତରକାରି ପରଷା ଯାଉଛି। ଚିକେନ, ମଟନ, ଛତୁ, ପନିର ଇତ୍ୟାଦିର ଅଧିକ ଚାହିଦା ରହିଛି। ଶତ୍ରୁଘନ ଜେନା କୁହନ୍ତି, ବାଉଁଶ ନଳୀରେ ପୋଡ଼ାହୋଇ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ତ ଔଷଧୀୟ ଗୁଣ ରହିଥାଏ, ମାତ୍ର ଏହିପରି ପୋଡ଼ାଯାଇ ତିଆରି ହେଉଥିବା ବିଶେଷକରି ମାଛ, ମାଂସ, ପନିର, କଖାରୁଫୁଲ, ଛତୁର ସ୍ବାଦ ଭାରି ବଢ଼ିଆ। ଏଥିରେ ଲୁଣ, ହଳଦୀଗୁଣ୍ଡ, ଧନିଆପତ୍ର, ସୋରିଷ ବା ବେସରବଟା, କଞ୍ଚାଲଙ୍କା ଆଦି ମସଲାଜାତୀୟ ପଦାର୍ଥ ମିଶାଯାଇ ବାଉଁଶ ନଳୀରେ ରଖି ନିଆଁରେ ପୋଡ଼ାଯାଇଥାଏ। ବୁଦାରୁ ବାଉଁଶ ସଂଗ୍ରହରେ ବିଧିରହିଛି : -ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଷାଖଣ୍ଡି ଗାଁର ରାଜକିଶୋର ପଣ୍ଡା କୁହନ୍ତି, ଆମ ଅଞ୍ଚଳରେ ଆଗଭଳି ଆଉ ବାଉଁଶବୁଦା ନାହିଁ। ଆମର ପ୍ରାୟ ୨ଏକର ଜମିରେ ବହୁଳ ସଂଖ୍ୟାରେ ବାଉଁଶବୁଦା ରହିଥିଲା। ଦିନ ଥିଲା ଲୋକମାନେ ଘରର ଚାଳ ଛପର ଠାରୁ ଆରମ୍ଭକରି ବିଭିନ୍ନ କାଯର୍ୟ ପାଇଁ ବାଉଁଶକୁ ନେଉଥିଲେ। କେବଳ ଆଷାଢ ମାସରେ ବାଉଁଶ ଗଜା ବାହାରିବା କାରଣରୁ ଏହି ସମୟକୁ ବାଦ୍ ଦେଲେ ବର୍ଷର ଅନ୍ୟ ସବୁ ସମୟରେ ବାଉଁଶ ବିକ୍ରି ହୋଇଥାଏ। କୁହାଯାଏ, ବାଉଁଶର ଜନ୍ମ ଶନିବାର। ଏହା ବ୍ୟତୀତ ଅମାବାସ୍ୟା, ପୂର୍ଣ୍ଣିମା, ସଙ୍କ୍ରାନ୍ତି ଓ ଏକାଦଶୀ ତିଥିରେ ବୁଦାରୁ ବାଉଁଶ କାଟିବାରେ ବାରଣ କରାଯାଇଥାଏ। ବାଉଁଶ କାରିଗର ଦଶରଥ ଜେନା କୁହନ୍ତି ମହୁଲିଆ, ନିଶ୍ଚିତା, ଉଗ୍ରତାରା ଓ ମଣିପୁର ଗାଁରେ ହାତଗଣତି କେତୋଟି ବାଉଁଶ କାରିଗର ପରିବାର ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। କିନ୍ତୁ ବାଉଁଶ ଦର ବଢୁଥିବାରୁ ବାଉଁଶ ତିଆରି ସାମଗ୍ରୀର ବିକଳ୍ପ ରୂପେ ପ୍ଲାଷ୍ଟିକ୍ ଏବଂ ଆଲୁମିନିୟମ ତା’ର ସ୍ଥାନ ନେଇଛିି। ବାଉଁଶ କାରିଗରି ବୃତ୍ତିକୁ ପିଲାମାନେ ଅରାଜି ହେଉଛନ୍ତି।
ଓଡ଼ିଶା ବାମ୍ବୋ ଡେଭେଲପମେଣ୍ଟ ଏଜେନ୍ସି : ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ଅନ୍ୟ ଘାସଜାତୀୟ ଚାଷ ପରି ବାଉଁଶ ଚାଷକୁ ମଧ୍ୟ ଚାଷୀମାନେ ଗୁରୁତ୍ୱ ଦେଇ ଥାନ୍ତି। ରାଜ୍ୟରେ ବାମ୍ବୋ ସେକ୍ଟର ବା ବାଉଁଶ ଉଦ୍ୟୋଗର ବିକାଶ ଦିଗରେ କାମ କରୁଛି ଓଡ଼ିଶା ବାମ୍ବୋ ଡେଭେଲପମେଣ୍ଟ ଏଜେନ୍ସି। ବାଉଁଶ ବ୍ୟବସାୟିକ ଚାଷ ଏବଂ ବାଉଁଶ ନିର୍ମିତ ସାମଗ୍ରୀ ସବୁର ଉତ୍ପାଦନ ଦିଗରେ ଉତ୍ସାହ ସୃଷ୍ଟି କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଦେଶରେ ଯେତିକି ବାଉଁଶ ଜଙ୍ଗଲ ରହିଛି ତାହାର ୯ ପ୍ରତିଶତ ଓଡ଼ିଶାରେ ରହିଛି। ବାଉଁଶ ତିଆରି ସାମଗ୍ରୀ ପ୍ରସ୍ତୁତି ବଜାର ଓ ବିକ୍ରି ନିମନ୍ତେ ଏହା କାର୍ଯ୍ୟ କରିଥାଏ।
ବାଉଁଶ ଜନ୍ମରୁ ମରଣ ଯାଏ ଲୋଡ଼ା : ବାଉଁଶକୁ ସବୁଜ ସ୍ବର୍ଣ୍ଣ ବୋଲି କୁହାଯାଏ। ଆଚାର୍ଯ୍ୟ ପବିତ୍ର ପ୍ରଧାନ କୁହନ୍ତି, ଯେତେବେଳେ ମଣିଷ ଘରଟିଏ କରିବାକୁ ଚିନ୍ତା କରେ ସେତେବେଳେ ସେ ପ୍ରଥମେ ଖୋଜୁଥିଲା ବାଉଁଶକୁ। ବାଉଁଶ ମଣିଷର ଏନ୍ତୁଡ଼ିଶାଳରୁ ମଶାଣି ଯାଏ ବ୍ୟବହାର ହୋଇଥାଏ। ଯେମିତି କି ହିନ୍ଦୁଙ୍କ ଜୀବନଶୈଳୀରେ ଷଷ୍ଠୀ ଘର ପୂଜା ଓ ବିବାହ କାର୍ଯ୍ୟ ଏବଂ ମୃତ୍ୟୁ ବେଳେ ମଧ୍ୟ ବାଉଁଶ ଖୋଜା ପଡ଼ିଥାଏ। ଘର ତିଆରି ହେଉ କି ଡଙ୍ଗାରେ କାତ ହେଉ, ଆକାଶଦୀପକୁ ଅତି ଉଚ୍ଚରେ ରଖିବା ପାଇଁ ବାଉଁଶର ବ୍ୟବହାର ହୋଇଥାଏ। ସେହିପରି ଅସହାୟ ଲୋକଙ୍କୁ ବାଟ କଢ଼ାଇବାରେ ବାଉଁଶ ବାଡ଼ି ବେଶ୍ ସହାୟକ ହୋଇଥାଏ। ଏପରିକି ମଣିଷର ମରଣ ବେଳେ ମଧ୍ୟ ଛ’ଖଣ୍ଡ ବାଉଁଶ କୋକେଇ ଲାଗି ଖୋଜାପଡ଼େ।
ଏହିପରି ବାଉଁଶ ବିଭିନ୍ନ କାମରେ ଆସିଥାଏ। ତେବେ ବାଉଁଶ ତିଆରି ସାମଗ୍ରୀ ପାଇଁ ସରକାରୀ ଓ ବେସରକାରୀସ୍ତରରେ ତାଲିମ ପ୍ରଦାନ ଦିଆଯାଉଥିବା ବେଳେ ହସ୍ତଶିଳ୍ପ ମେଳାରେ ବାଉଁଶନିର୍ମିତ ବିଭିନ୍ନ ସାମଗ୍ରୀ ବିକ୍ରି ହୋଇଥାଏ। ବନ ବିଭାଗ ତରଫରୁ ଆର୍ଥିକ ଅନୁଦାନ ସହ ବାଉଁଶ ରୋପଣ ପାଇଁ ପ୍ରୋତ୍ସାହନ କରାଯାଉଛି। ବୁଦାରୁ -ବନବିହାରୀ ବେହେରା , ଅଶୋକ ପଣ୍ଡା