ଶାରଳା ମନ୍ଦିର ଖୋଲିବାକୁ ଜିଲାପାଳଙ୍କ ସବୁଜ ସଙ୍କେତ

ଜଗତ୍‌ସିଂହପୁର ଅଫିସ୍‌,୧୮ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶାରଳା। କୋଭିଡ୍‌-୧୯ ପୂର୍ବରୁ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଶାରଳା ମନ୍ଦିର ସମେତ ସମସ୍ତ ଦେବଦେବୀ ମନ୍ଦିରରେ କଟକଣା ଲଗାଇ ଦେଇଛନ୍ତି। ନିକଟରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଲିଙ୍ଗରାଜ, ଶ୍ରୀବଳଦେବଜୀଉ ଓ ମା’ ବିରଜା ମନ୍ଦିର ଆଦି ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି। କିନ୍ତୁ ଶାରଳା ମନ୍ଦିର ଖୋଲିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଏ ସମ୍ପର୍କରେ ଶାରଳା ମନ୍ଦିର ବଡ଼ପଣ୍ଡା ରଞ୍ଜନ କୁମାର ପଣ୍ଡା କହିଛନ୍ତି, ଭକ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କୋଭିଡ୍‌ କଟକଣାକୁ କଡ଼ାକଡି କରି ମନ୍ଦିର ଖୋଲିବାକୁ ବ୍ୟବସ୍ଥା କରାଯିବା ଉଚିତ। ମନ୍ଦିର ନିର୍ବାହୀ ଅଧିକାରୀ ଶୌର୍ଯ୍ୟ ରଞ୍ଜନ ପରିଜା କହିଛନ୍ତି, ମନ୍ଦିର ଖୋଲିବା ସଂକ୍ରାନ୍ତରେ ଜିଲାପାଳଙ୍କ ସହ ଆଲୋଚନା ହୋଇଛି। ଏ ସମ୍ପର୍କରେ ଜିଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି, ୨ରୁ ୪ ଦିନ ମଧ୍ୟରେ ବୈଠକ ଆୟୋଜନ କରାଯିବ। ଏଥିରେ ପଣ୍ଡା, ସେବାୟତ, ପୋଲିସ ପ୍ରଶାସନ ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ମଧ୍ୟରେ ମନ୍ଦିର କିପରି ଖୋଲଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ।

Share