ସମଲିଙ୍ଗୀ ବିବାହକୁ ସବୁଜ ସଙ୍କେତ: ବିବାହ ସମାନତା ବିଲ୍‌କୁ ମଞ୍ଜୁରୀ…

ବ୍ୟାଙ୍କକ,୨୧।୧୧: ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଥାଇଲାଣ୍ଡର କ୍ୟାବିନେଟ ମଙ୍ଗଳବାର ଏହାର ସିଭିଲ କୋଡରେ ସଂଶୋଧନକୁ ଅନୁମୋଦନ କରିଛି। ଆସନ୍ତା ମାସରେ ସଂସଦରେ ଏହି ଡ୍ରାଫ୍ଟ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି।

ଡେପୁଟି ସରକାରୀ ମୁଖପାତ୍ର କରୋମ ପୋଲପର୍ନକଲାଙ୍ଗ କହିଛନ୍ତି ନାଗରିକ ତଥା ବାଣିଜି୍ୟକ ସଂହିତା ସଂଶୋଧନ ଦ୍ୱାରା ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ପୁରୁଷ ଏବଂ ସ୍ତ୍ରୀ, ସ୍ବାମୀ-ସ୍ତ୍ରୀ ଶବ୍ଦ ବ୍ୟକ୍ତି ଏବଂ ବିବାହ ସାଥୀ ଭାବେ ପରିବର୍ତ୍ତନ କରାଯିବ।

ସେ କହିଛନ୍ତି ଏହା ସମଲିଙ୍ଗୀ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରି ପରିବାର ଗଠନ କରିବାର ଅଧିକାର ଗ୍ୟାରେଣ୍ଟି ଦେବ। ସମଲିଙ୍ଗୀ ଦମ୍ପତିଙ୍କୁ ମଧ୍ୟ ସ୍ବୀକୃତି ଦେବା ପାଇଁ ପେନସ୍‌ନ ପାଣ୍ଠି ଆଇନରେ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି। ଡିସେମ୍ବର ୧୨ ରେ ସଂସଦରେ ଆଇନର ଡ୍ରାଫ୍ଟ ପ୍ରସ୍ତାବ ଆଗତ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ ଗଣମାଧ୍ୟମକୁ କହିଛନ୍ତି। ସଂସଦର ଅନୁମୋଦନ ଏବଂ ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ସମର୍ଥନ ପରେ ଯଦି ଏହା ଆଇନରେ ପରିଣତ ହୁଏ, ତେବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ତାଇୱାନ ଏବଂ ନେପାଳ ପରେ ଥାଇଲାଣ୍ଡ ଏସିଆରେ ତୃତୀୟ ଦେଶ ହେବ।

Share