Categories: ଖେଳ

ପୁଣି ଥରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗ୍ରେଗ୍‌ ବାର୍କଲେ, ଜୟ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ

ମେଲବୋର୍ନ,୧୨।୧୧: ନ୍ୟୁଜିଲ୍ୟାଣ୍ଡର ଗ୍ରେଗ୍‌ ବାର୍କଲେ ଶନିବାର ସର୍ବସମ୍ମତି କ୍ରମେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି। ବାର୍କଲେଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଜିମ୍ବାୱେର ତାୱେଙ୍ଗୱା ମୁକୁହଲାନି ନିଜ ନାମ ପ୍ରତ୍ୟାହାର କରିନେବାପରେ ବାର୍କଲେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ବିସିସିଆଇ ସଚିବ ଜୟ ଶାହାଙ୍କୁ ମଧ୍ୟ ବଡ ଦାୟିତ୍ୱ ମିଳିଛି। ସେ ଆଇସିସିର ଶକ୍ତିଶାଳୀ ଏବଂ ବାଣିଜି୍ୟକ ବ୍ୟାପାର(ଏଫ୍‌ ଆଣ୍ଡ ସିଏ) କମିଟିର ମୁଖ୍ୟ ଭାବେ ମନୋନୀତ ହୋଇଛନ୍ତି।

ବାର୍କଲେ ନିଜର ପୁନଃ ନିଯୁକ୍ତି ସମ୍ପର୍କରେ କହିଛନ୍ତି, ଆନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଭାବରେ ପୁନଃ ନିର୍ବାଚିତ ହେବା ଗୌରବର ବିଷୟ। ମୁଁ ମୋର ସହଯୋଗୀ ଆଇସିସି ନିର୍ଦ୍ଦେଶକମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି।
ପ୍ରକାଶ ଯେ, ନଭେମ୍ବର ୨୦୨୦ରେ ବାର୍କଲେଙ୍କୁ ଆଇସିସି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ସେ ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟର ଅଧ୍ୟକ୍ଷ ତଥା ୨୦୧୫ ରେ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପର ନିର୍ଦ୍ଦେଶକ ଥିଲେ। ଏବେ ପୁଣି ବାର୍କଲେଙ୍କ ଚୟନର ଅର୍ଥ ଏହା ଯେ ତାଙ୍କୁ ବିସିସିଆଇ ସମେତ ୧୭ ଜଣିଆ ବୋର୍ଡର ସମର୍ଥନ ରହିଛି।

Share