Categories: ଜାତୀୟ

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗର ଲାଲଚୌକରେ ଗ୍ରେନେଡ ମାଡ଼

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସ୍ବାଧିନତାର ଅମୃତ ମହୋତ୍ସବ ମଧ୍ୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳେ ଶୋପିଆନରେ ସିଆରପିଏଫ୍‌ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ ପରେ ଦ୍ୱିପ୍ରହରରେ କେନ୍ଦ୍ର ଶାସିତ ପ୍ରଦେଶର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଶ୍ରୀନଗରର ଲାଲଚୌକ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଲାଲଚୌକ ବ୍ୟସ୍ତବହୁଳ ଥିବା ବେଳେ ହଠାତ୍‌ ବିସ୍ଫୋରଣର ଶବ୍ଦ ହୋଇଥିଲା। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୪ରୁ ଊର୍ଦ୍ଧ୍ୱ ନାଗରିକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଅନ୍ୟପଟେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି।

Share