ନୋବେଲ ଦୌଡ଼ରେ ଗ୍ରେଟା

ଓସ୍‌ଲୋ, ୧ା୨: ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ସ୍ବିଡେନର ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗ(୧୮)ଙ୍କ ନାମ ସୁପାରିସ କରାଯାଇଛି। ତାଙ୍କ ସହ ରୁଷିଆର ଭିନ୍ନମତବାଦୀ ଆଲେକ୍ସି ନାଭାଲ୍‌ନି, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ସାମିଲ କରାଯାଇଛି। ବିଭିନ୍ନ ଦେଶର ପାର୍ଲାମେଣ୍ଟ ସଦସ୍ୟଙ୍କଠାରୁ ଆରମ୍ଭ କରି ପୂର୍ବତନ ବିଜେତା ପର୍ଯ୍ୟନ୍ତ ପ୍ରମୁଖ ବ୍ୟକ୍ତିବିଶେଷ ଏହି ପୁରସ୍କାର ପାଇଁ ନାଁ ସୁପାରିସ୍‌ କରିପାରିବେ। ଜଳବାୟୁ ସୁରକ୍ଷା ଦିଗରେ ଅବଦାନ ନିମନ୍ତେ ଗ୍ରେଟାଙ୍କୁ ଏହି ତାଲିକାରେ ରଖାଯାଇଛି। ସେହିପରି ନରଓ୍ବେର ପୂର୍ବତନ ମନ୍ତ୍ରୀ ଓଲା ଏଲ୍‌ଭେସ୍ତୁଏନ ରୁଷିଆରେ ଶାନ୍ତିପୂର୍ଣ୍ଣ ଗଣତନ୍ତ୍ରୀକରଣ ପାଇଁ ଆଲେକ୍ସିଙ୍କ ନାମ ବାଛିଛନ୍ତି। ବେଲାରୁଷ୍‌ର ସାମାଜିକକର୍ମୀ ଭିଏତଲାନା ସିଖାନୋସ୍କାୟା, ମାରିଆ କୋଲେସନିକୋଭା ଏବଂ ଭେରୋନିକା ସେପକାଲୋଙ୍କ ନାମ ମଧ୍ୟ ନୋବେଲ ପୁରସ୍କାର ନିମନ୍ତେ ସୁପାରିସ୍‌ ହୋଇଛି। ଆସନ୍ତା ଅକ୍ଟୋବରରେ ବିଜେତାଙ୍କ ନାମ ଘୋଷଣା କରାଯିବ।

Share