ବିବାହରେ ବର ଭାଙ୍ଗିଲେ ଧନୁ

ସାରନ,୨୮।୬: ତ୍ରେତୟାଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ବୟଂମ୍ବରରେ କଥା ସମସ୍ତେ ଜାଣିଥିବେ ଓ ଶୁଣିଥିବେ। କିନ୍ତୁ କଳିଯୁଗରେ ସ୍ବୟଂମ୍ବର ଆୟୋଜିତ ହେବା କଥା କେବେ ଶୁଣିଛନ୍ତି କି। ଆଜ୍ଞା ହଁ, ବିହାରରେ ଏଭଳି ଘଟଣାର ପୁଣି ଥରେ ପୁନଃରାବୃତ୍ତି କରାଯାଇଛି। ବିବାହ ସମୟରେ ବର ଧନୁ ଭାଙ୍ଗି କନ୍ୟାଙ୍କୁ ବରଣମାଳା ପିନ୍ଧାଇଥିବା ଦେଖିବାକୁ ମିଳିଛି। ଏହି ନିଆରା ବିବାହର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ସାରନ ଜିଲାର ସୋନପୁର ଅନ୍ତର୍ଗତ ସବଲପୁର ଅଞ୍ଚଳରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ତ୍ରେତୟାଯୁଗ ଭଳି ଧନୁ ସ୍ବୟଂମ୍ବର ଆୟାଜନ କରାଯାଇଥିଲା। ଯେଭଳି ଭାବେ ଭଗବାନ ଶ୍ରୀରାମ ଧନୁ ଭାଙ୍ଗି ମା’ ସୀତାଙ୍କୁ ବିବାହ କରିଥିଲେ। ଠିକ୍‌ ସେହିଭଳି ସବଲପୁରରେ ମଧ୍ୟ କଳିଯୁଗର ନିଆରା ଧନୁ ସ୍ବୟଂମ୍ବରର ଆୟାଜନ କରାଯାଇଥିଲା। ମଞ୍ଚ ଉପରେ ପଣ୍ଡିତ ମନ୍ତ୍ରୋଚ୍ଚାରଣ କରିବା ପରେ ବର ଧନୁ ଉଠାଇବା ପୂର୍ବରୁ ହାତ ଯୋଡ଼ି ଶିବଙ୍କୁ ସ୍ମରଣ କରିଥିଲେ। ଏହାପରେ ବର ଧନୁ ଉଠାଇ ଭାଙ୍ଗିଥିଲେ। ଧନୁ ଭାଙ୍ଗିବା ପରେ ସେଠାରେ ଉପସ୍ଥିତ ଅତିଥିମାନେ ବରଙ୍କ ଉପରେ ଫୁଲର ବର୍ଷା କରିଥିଲେ।

ପରେ ମଞ୍ଚ ଉପରକୁ କନ୍ୟା ଆସିଥିବା ବେଳେ ବର ତାଙ୍କୁ ବରଣମାଳା ପିନ୍ଧାଇଥିଲେ। ଅନ୍ୟପଟେ କରୋନା କାଳରେ ବିବାହ ସମାରୋହରେ କମ୍‌ ଲୋକଙ୍କୁ ଆମନ୍ତ୍ରଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ସମାରୋହରେ କୋଭିଡ ନିୟମ ଉଲ୍ଲଂଘନ କରାଯିବା ସହ ସାମାଜିମ ଦୂରତ୍ୱ ମଧ୍ୟ ରକ୍ଷା କରାଯାଇ ନ ଥିବା ଜଣାପଡ଼ିଛି।

Share