ବିବାହର ୨ ଦିନ ପରେ ବର ମୃତ: ୯୫ ଅତିଥି କରୋନା ପଜିଟିଭ

ପାଟନା,୩୦।୬: ବିହାରର ରାଜଧାନୀ ପାଟନାରେ ଥିବା ଏକ ଗାଁରେ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୫ ଜଣ ଅତିଥି କରୋନା ମହାମାରୀରେ ପୀଡ଼ିତ ହୋଇଥିବା ଜଣାପଡିଛି। ସବୁଠାରୁ ବଡ ଦୁଃଖର କଥା ହେଲା ବିବାହର ଠିକ୍‌ ୨ ଦିନ ପରେ ୩୦ ବର୍ଷୀୟ ବରଙ୍କର ମୃତ୍ୟୁ ହୋଇଛି। ବିନା କୋଭିଡ-୧୯ ଟେଷ୍ଟରେ ତାଙ୍କର ଅନ୍ତିମ ସଂସ୍କାର କରି ଦିଆଯାଇଥିବା ବେଳେ ତାଙ୍କ ପାଖରେ କରୋନା ଲକ୍ଷଣ ଥିବାରୁ ଏବେ ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡି ଯାଇଛନ୍ତି। ବର ଜଣକ ଗୁରୁଗ୍ରାମରେ ସପ୍ଟଓ୍ବେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। ପାଟନାର ପାଲିଗଞ୍ଜରେ ରହୁଥିବା ଉକ୍ତ ବର ବିବାହ ପାଇଁ ଜୁନ୍‌ ୧୨ରେ ଗାଁରେ ପହଞ୍ଚିଥିଲେ। ତାଙ୍କ ନିକଟରେ କରୋନା ଲକ୍ଷଣ ଥିଲେ ମଧ୍ୟ ଜୁନ୍‌ ୧୫ରେ ତାଙ୍କର ବିବାହ କରାଇ ଦିଆଯାଇଥିଲା। ହେଲେ ସେ ବେଳକୁ ବେଳ ଅସୁସ୍ଥ ଅନୁଭବ କରିବାରୁ ବିବାହର ୨ ଦିନ ପରେ ତାଙ୍କୁ ହସ୍ପିଟାଲ ନେଇ ଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପାଟନା ଜିଲା ପ୍ରଶାସନକୁ ଏ ସମ୍ପର୍କରେ ଖବର ଦେବା ପରେ ବିବାହ ଉତ୍ସବରେ ସାମିଲ ଲୋକଙ୍କର କରୋନା ଟେଷ୍ଟ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏମାନଙ୍କ ମଧ୍ୟରୁ ୧୫ ଜଣ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା। ଏହାପରେ କଣ୍ଟାକ୍ଟ ଟ୍ରାସିଂ ଆରମ୍ଭ କରି ପାଖାପାଖି ୮୦ ଜଣଙ୍କର କରୋନା ଟେଷ୍ଟ କରାଯିବା ପରେ ଜଣାପଡିଥିଲା କି ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୫ ଜଣ କରୋନାରେ ଆକ୍ରାନ୍ତ। ତେବେ ୯୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ କନ୍ୟାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।

Share