ଡଙ୍ଗାରେ ବର ପାଣିରେ ବରଯାତ୍ରୀ: ବନ୍ୟା ବିଭିଷୀକାରେ ହେଉଛି ଏଭଳି ବିବାହ

ପାଟନା,୧୧।୮: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ବିହାର ଏହି ସମୟରେ ବନ୍ୟା ଘେରରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ସ୍ଥିତିରେ ବି ଲୋକମାନେ ନିଜ ଖୁସିକୁ କମ୍‌ କରିବାକୁ ଚାହୁଁନାହାନ୍ତି। ବନ୍ୟା ବିଭିଷୀକାରେ ବି ଲୋକମାନେ ବିବାହ କରୁଥିବା ଦେଖିବାକୁ ମିଳିଛି। ଏଭଳିି ଘଟଣା ଘଟିଛି ବିହାର ମୁଜଫରପୁରର ସକରା ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି ବ୍ୟାଣ୍ଡବାଜା ସହ ବିବାହ କରିବାକୁ ପହଞ୍ଚିଥିଲେ। କିନ୍ତୁ ବରଯାତ୍ରୀ ପାଣିରେ ପଶି ରୋଶଣୀ କରି ଝିଅ ଘରେ ପହଞ୍ଚିଥିଲେ।

ଏହି ବରଯାତ୍ରୀ ତାଜପୁର ଥାନାର ମୁସାପୁର ଗାଁରୁ ବାହାରି ମୁଜଫରପୁର ସକରାର ଭଟଣ୍ଡି ଗାଁରେ ପହଞ୍ଚିଥିଲା। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମୁସାପୁରର ମହମ୍ମଦ ହସନ ରଜା ଓ ଭଟଣ୍ଡି ଗାଁର ମଜଦା ଖାତୁନଙ୍କ ନିକାହ ଠିକ୍‌ ହୋଇଥିଲା। ଇତିମଧ୍ୟରେ ମୁରୋଲରେ ନଦୀବନ୍ଧ ଭାଙ୍ଗିଯିବାରୁ ଗାଁରେ ବନ୍ୟା ହୋଇଯାଇଥିଲା। ବିବାହ ତାରିଖ ଘୁଞ୍ଚାଇବାକୁ ନେଇ ୨ପକ୍ଷ ଅରାଜି ହେବାରୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଦିନ ହିଁ ନିକାହ ଅନୁଷ୍ଠିତ ହୋଇଥିଲା। ବନ୍ୟା ଯୋଗୁ କେତେକ ସ୍ଥାନରେ ଅଣ୍ଟା ଲେଖାଏଁ ପାଣି ଥିବା ବେଳେ ତ ଆଉ କେତେକ ସ୍ଥାନରେ ଆଣ୍ଠୁ ଲେଖାଏଁ ପାଣି ଜମି ରହିଥିଲା। ଏଭଳି ପରିସ୍ଥିତିରେ ବରଯାତ୍ରୀ କେତେବେଳେ ଚାଲି ଚାଲି ତ ଆଉ କେତେବେଳେ ଡଙ୍ଗା ସାହାଯ୍ୟରେ ବରଙ୍କୁ କନ୍ୟା ଘରେ ପହଞ୍ଚାଇଥିଲେ। ଏହାପରେ ପୁରା ରୀତିନୀତିରେ ଦୁଇଜଣଙ୍କ ନିକାହ ଏବଂ ପରେ ବିଦାୟୀ ହୋଇଥିଲା।

Share