Categories: ଜାତୀୟ

ବିବାହର କିଛି ସମୟ ପୂର୍ବରୁ କନ୍ୟାଙ୍କୁ ଶକ୍ତ ଚାପୁଡା ମାରିଲେ ବର, ଆଉ ତା’ପରେ…

ଚେନ୍ନାଇ,୨୪।୧: ତାମିଲନାଡୁର କୁଡାଲୋରରେ ଏକ ବିବାହ ଉତ୍ସବରେ ଅଜବ ଘଟଣା ଦେଖିବାକୁ ମିଳିଛି। ବର କୌଣସି ପ୍ରସଙ୍ଗରେ କନ୍ୟାଙ୍କୁ ଚାପୁଡା ମାରିଥିଲେ। ଏହାପରେ କନ୍ୟା ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ, କନ୍ୟା କିଛି ଘଣ୍ଟା ମଧ୍ୟରେ ମଣ୍ଡପରେ ଉପସ୍ଥିତ ବରଙ୍କ ସମ୍ପର୍କୀୟ ଭାଇଙ୍କୁ ବିବାହ କରିଥିଲେ। ଏହା ସମ୍ପୂର୍ଣ୍ଣ ଫିଲ୍ମ କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ।
ବାହାଘର ପୂର୍ବଦିନ କନ୍ୟା ବର ଓ ସେମାନଙ୍କ ପରିବାର ଲୋକ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏଠାରେ ନାଚଗୀତ ପାଇଁ ଡିଜେର ବ୍ୟବସ୍ଥା ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ସାମିଲ ହୋଇ କନ୍ୟାବର ଢେର ସମୟ ନାଚିଥିଲେ। ତେବେ ହଠାତ୍‌ କନ୍ୟାର ଜଣେ ସମ୍ପର୍କୀୟ ଭାଇ ହଠାତ୍‌ ଡ୍ୟାନ୍ସ ଫ୍ଲୋରରେ ପହଞ୍ଚି ସେମାନଙ୍କ ସହ ନାଚିବା ଆରମ୍ଭ କରିଥିଲେ। ସେ ନାଚିବାରେ ଏତେ ମସଗୁଲ ହୋଇଯାଇଥିଲେ ଯେ ଉଭୟ ବର ଓ କନ୍ୟାଙ୍କ କାନ୍ଧରେ ମଧ୍ୟ ହାତ ପକାଇ ଝୁମିଥିଲେ। କନ୍ୟାଙ୍କ କାନ୍ଧରେ ହାତ ପକାଇବାରୁ ବର ରାଗିଯାଇ କନ୍ୟାଙ୍କୁ ଶକ୍ତ ଚାପୁଡା ମାରିଥିଲେ। ଏଥିରେ କନ୍ୟାଙ୍କ ବାପା ରାଗି ଯାଇ ବର ଓ ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ କାର୍ଯ୍ୟକ୍ରମରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। କନ୍ୟା ଜଣଙ୍କ ମଧ୍ୟ ନିଜ ବାହାଘରକୁ ବାତିଲ କରିଥିଲେ। ଏହାକୁ ତାଙ୍କ ପରିବାର ଲୋକଙ୍କ ସମର୍ଥନ ବି ମିଳିଥିଲା। ହେଲେ କନ୍ୟାଙ୍କ ପରିବାର ଲୋକ ଜାନୁଆରୀ ୨୦ରେ ହିଁ ଝିଅର ବାହାଘର ହେବ ବୋଲି ନିଷ୍ପତ୍ତି ନେଇ ବର ଖୋଜିବା ଆରମ୍ଭ କରିଥିଲେ। ଶେଷରେ କନ୍ୟାଙ୍କ ସମ୍ପର୍କୀୟ ଭାଇଙ୍କୁ ବର ଭାବେ ବଛା ଯାଇଥିଲା। କନ୍ୟା ଜଣଙ୍କ ମଧ୍ୟ ପରିବାର ଲୋକଙ୍କ ଏହି ନିଷ୍ପତ୍ତିରେ ରାଜି ହୋଇଥିଲେ। ଶେଷରେ ଜାନୁଆରୀ ୨୦ରେ ଉଭୟଙ୍କ ବାହାଘର ହୋଇଛି। ସେପଟେ ବାହାଘର ଦିନକ ପୂର୍ବରୁ ଝଟକା ପାଇଥିବା ବର ଜଣଙ୍କ ଏବେ ପାନରୁତିରେ ଥିବା ମହିଳା ଥାନାରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଛନ୍ତି।

Share