Categories: ଜାତୀୟ

ରାମମନ୍ଦିର ଭୂମିପୂଜନ ଉତ୍ସବ ଆରମ୍ଭ

ଅଯୋଧ୍ୟା, ୪ା୮: ରାମମନ୍ଦିର ଭୂମିପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ସୋମବାରଠାରୁ ୩ ଦିନିଆ ଉତ୍ସବ ଆରମ୍ଭ ହୋଇଛି। ବୁଧବାର ଭୂମିପୂଜନ ବେଳେ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫ ଜଣ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହନ୍ତ ନୃତ୍ୟଗୋପାଳ ଦାସ। ଏହି ଉତ୍ସବ ଲାଗି ୧୭୫ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ କାର୍ଡରେ ରାମଲାଲାଙ୍କ ମୂର୍ତ୍ତିର ଛବି ସହିତ ସୁରକ୍ଷା କୋଡ୍‌ ରହିଛି, ଯାହା ଗୋଟିଏ ଥର କାମ କରିବ। ଯଦି ଅତିଥି ଉତ୍ସବ ସ୍ଥଳ ଛାଡ଼ି ବାହାରକୁ ଆସନ୍ତି ତେବେ ସେ ଆଉ ପ୍ରବେଶ କରିପାରିବେ ନାହିଁ। ପ୍ରଥମ ନିମନ୍ତ୍ରଣ ଅଯୋଧ୍ୟା ମାମଲାର ମୁସଲମାନ ପ୍ରତିପକ୍ଷ ଇକ୍‌ବାଲ ଅନ୍‌ସାରୀଙ୍କ ପାଖକୁ ପଠାଯାଇଥିଲା। ସେହିପରି ୧୦ ହଜାରରୁ ଅଧିକ ଲୋକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ପଦ୍ମଶ୍ରୀ ମହମ୍ମଦ ଶରିଫ୍‌ଙ୍କୁ ମଧ୍ୟ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ତେବେ ରାମମନ୍ଦିର ଆନ୍ଦୋଳନର ପ୍ରମୁଖ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ ଏବଂ ଉମା ଭାରତୀ ଉତ୍ସବରେ ଯୋଗଦେବେ ନାହିଁ। ଆଡଭାନୀ, ଜୋଷୀଙ୍କୁ ଫୋନ୍‌ ଯୋଗେ ନିମନ୍ତ୍ରଣ କରାଯାଇଥିବା କୁହାଯାଉଥିଲାବେଳେ ମହାମାରୀ କାରଣରୁ ଉମା ଭାରତୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିଦେଇଛନ୍ତି। ସୋମବାର ଗୌରୀ ଗଣେଶ ପୂଜାରୁ ରାମମନ୍ଦିର ଭୂମିପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୩ ଦିନ ପୂଜାପାଠ ସହ ହିନ୍ଦୁ ରୀତିନୀତିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପୂର୍ବାହ୍ନ ୮ଟାରୁ ୧୧ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ପୂଜା ଆରମ୍ଭ ହୋଇଛି। ବିଭିନ୍ନ ମନ୍ଦିରରେ ମନ୍ତ୍ର, ଆରତି ଓ ରାମାୟଣ ପାଠ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସୋମବାର ଅଯୋଧ୍ୟା ଗସ୍ତକରି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହନୁମାନଗଡ଼ି ମନ୍ଦିରକୁ ସାନିଟାଇଜ୍‌ କରାଯାଇଛି। ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିବା ସହ ଟୁଇଟରରେ ଭକ୍ତମାନଙ୍କୁ ଘରେ ରହି ଦୀପ ଜାଳିବାକୁ ପରାମର୍ଶ ଦେଇଛନ୍ତି।

Share