ଅଧାପନ୍ତରିଆ ଭାବେ ପଡ଼ିରହିଛି

ନୂଆଗାଁ,୭।୭(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକର କୌଣସି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଶୌଚାଳୟଟିଏ ନାହିଁ । ନୂଆଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ସାଧାରଣ ଲୋକମାନଙ୍କ ପାଇଁ ଶୌଚାଳୟଟିଏ ନିର୍ମାଣ କରାଯାଉଥିବା ବେଳେ ତାହା ମଧ୍ୟ ଦୀର୍ଘ ମାସ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । ନୂଆଗାଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଶୌଚାଳୟ କିମ୍ବା ପରିସ୍ରାଗାରଟିଏ ନାହିଁ । ଫଳରେ କୌଣସି କାମରେ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ଅନେକ ଅସୁବିଧା ଭୋଗୁଛନ୍ତି। ନୂଆଗାଁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶୌଚାଳୟଟିଏ ନିର୍ମାଣ କରିବା ପାଇଁ ନୂଆଗାଁ ବ୍ଲକ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ତରଫରୁ ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ଉକ୍ତ ଅନୁଦାନରେ ଶୌଚାଳୟଟି ବ୍ୟବହାର ଉପଯୋଗୀ କରିବା ନିୟମ ରହିଥିବା ବେଳେ ଅନୁଦାନରୁ ୨ଲକ୍ଷ ୧୦ ହଜାର ଖର୍ଚ୍ଚ ହୋଇଥିବା ଦର୍ଶାଇ ବିଲ୍‌ କରିଥିଲେ ମଧ୍ୟ ଶୌଚାଳୟଟି ଅଧାପନ୍ତରିଆ ହୋଇ ପଡିରହିଛି । ଠିକାଦାର, ଯନ୍ତ୍ରୀ ଅଧିକ ଲାଭ ପାଇବା ଆଶାରେ ଶୌଚାଳୟଟିକୁ ଅସମ୍ପୂର୍ଣ୍ଣ କରି ରଖିଛନ୍ତି। ଶୌଚାଳୟ ନିର୍ମାଣକୁ ସମ୍ପୂର୍ଣ୍ଣ କରିବା ପାଇଁ ପୁନର୍ବାର ଅନୁଦାନ ଆବଶ୍ୟକ କରୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଆବାସ ଯୋଜନାରେ ୩୦୦ ବର୍ଗଫୁଟର ଘରକୁ ସମ୍ପୂର୍ଣ୍ଣ କରି ତାହାକୁ ରହିବା ଉପଯୋଗୀ କରିବା ପାଇଁ ସରକାର ୧ ଲକ୍ଷ ୩୦ ହଜାର ଟଙ୍କା ଦେଉଥିବା ବେଳେ ୩ ଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ କରାଯାଇ ପାରୁନାହିଁ । ଶୌଚାଳୟ ପୂର୍ଣ୍ଣାଙ୍ଗ କରିବା ବାବଦରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ପଚାରିବାରେ ମୁଁ ଏ ବାବଦରେ ଆରଡି ବିଭାଗ ଯନ୍ତ୍ରୀଙ୍କ ସହ କଥା ହେଉଥିଲି, ମଞ୍ଜୁର ହୋଇଥିବା ଟଙ୍କାରେ ଶୌଚାଳୟ ଶେଷ ହୋଇପାରିବ ନାହିଁ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ମୁଁ ନୂଆଗାଁ ବିଡିଓଙ୍କ ସହ ଆଲୋଚନା କରିବି ବୋଲି ସେ କହିଥିଲେ ।