କାମରେ ଆସୁନି ଗୋଷ୍ଠୀ ଶୌଚାଳୟ

କେସିଙ୍ଗା,୧୪।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବଗାଡ ଗ୍ୟାସ ଗୋଦାମ ନିକଟରେ ଥିବା ଖଲିଆ ବନ୍ଧହୁଡ଼ା ଉପରେ କେସିଙ୍ଗା ଏନ୍‌ଏସି ପକ୍ଷରୁ ୬ ଲକ୍ଷ ଟଙ୍କାରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଏବେ କାମରେ ଆସୁନି। ଜନସାଧାରଣଙ୍କ ସୁବିଧା ଓ ପରିମଳ ବ୍ୟବସ୍ଥା ସଫା ସୁତୁରା ରଖିବା ପାଇଁ ୨୦୧୬ରେ ଗୋଷ୍ଠୀ ଶୌଚାଳୟ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ଆଜକୁ ପ୍ରାୟ ୭ ବର୍ଷ ହେଲାଣି କୌଣସି କାମକୁ ଆସୁନି। ସବୁ ସୁବିଧା ଥାଇ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ଶୌଚାଳୟ ଲୋକଙ୍କ କାମରେ ଆସୁ ନ ଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଲ୍ଡିଂ ଠିକଠାକ ଅଛି, ଉପରେ ପାଣି ଟାଙ୍କି ରହିଛି। ଶୁଣିବାକୁ ମିଳୁଛି ଯେ, ଯେଉଁ ଦିନ ଗୋଷ୍ଠୀ ଶୌଚାଳୟ ଆରମ୍ଭ ହେଲା ତାର ପର ଦିନ ନିଛାଟିଆ ଜାଗା ହୋଇଥିବାରୁ ଚୋରମାନେ ପଶି ଲାଇନ କାଟି ମଟର ଚୋରି କରି ନେଇଯାଇ ଥିଲେ। ସେହଦିନଠାରୁ ଗୋଷ୍ଠୀ ଶୌଚାଳୟ ଉପରେ ଏନ୍‌ଏସିର ଦୃଷ୍ଟି ପଡିନି ବୋଲି ଅଭିଯୋଗ ଆସୁଛି। ଏ ସଂକ୍ରାନ୍ତିରେ କେସିଙ୍ଗା ନଗରପାଳ ନୃପରାଜ ଯାଦବଙ୍କୁ ପଚାରିବାରୁ, ସେ କହିଲେ ଯେ ପୁଣିଥରେ ସେହି ଶୌଚାଳୟ କାର୍ଯ୍ୟକ୍ଷମ କରାଯିବା ସହିତ କେସିଙ୍ଗା ସହରରେ ଏମିତି ଅନେକ ଜାଗାରୁ ଅସାମାଜିକ ବ୍ୟକ୍ତିମାନେ ପାଣି ଟ୍ୟାପ, ମଟର, ବିଦ୍ୟୁତ୍‌ ଉପକରଣ ଚୋରି କରି ନେଉଛନ୍ତି ବୋଲି କହି ଦୁଃଖ ପ୍ରକାଶ କରିଥିଲେ। ସେ ଉଦ୍ଧାରଣ ଦେଇ କହିଲେ ଯେ ନବନିର୍ମିିତ ସେଲଫି ପଏଣ୍ଟ କେତେ ସୁନ୍ଦର୍‌ ଭାବେ ତିଆରି କରାଯାଇଥିଲା, କିନ୍ତୁ ଅସାମାଜିକ ବ୍ୟକ୍ତିମାନେ ସବୁ ଚୋରି କରି ନେଇଯାଇ ଥିବା ପ୍ରକାଶ କରିଥିଲେ।

Share